ନବୀନଙ୍କ ଉପରେ ଦିଲ୍ଲୀର ଆଖି, କୋଟିଏ ଭୋଟ ଉପରେ ମୋଦୀ ଓ ରାହୁଲଙ୍କ ନଜର

ସାଂସଦଙ୍କ ସଂଖ୍ୟା କମ୍ ଥିଲେ ଥିଲେ ଦିଲ୍ଲୀ ରାଜନୀତିରେ ଅଛି ନବୀନଙ୍କ ପ୍ରଭାବ । ସ୍ବାସ୍ଥ୍ୟାବସ୍ଥା ପଚାରିବା ଆଳରେ ସମର୍ଥନ ଲୋଡୁଛନ୍ତି ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତା । ଚର୍ଚ୍ଚା, ବିଜେଡିର କୋଟିଏ ଭୋଟ ଉପରେ ରହିଛି ଆଖି ।

49-BJD Vote

କନକ ବ୍ୟୁରୋ: କ୍ଷମତାରୁ ହଟିଛନ୍ତି ନବୀନ। ଦିଲ୍ଲୀରେ ମୂଲଚାଲ କରିବାକୁ ସୁଯୋଗ ବି ନାହିଁ । ହେଲେ ନବୀନଙ୍କୁ ନିଜ ପକ୍ଷକୁ ନେବାକୁ ଏବେ ବି ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟର କସରତ । କାରଣ ନବୀନଙ୍କ ପାଖରେ ଓଡ଼ିଶାରେ ରହିଛି ବଡ଼ ଭୋଟ୍‌ ବ୍ୟାଙ୍କ । ସୋମବାର ରାଜନାଥଙ୍କ ଫୋନ୍ କଲ୍‌ ପରେ ବୁଧବାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନବୀନଙ୍କ ନିକଟକୁ ଆସିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ୍‌ । ସ୍ବାସ୍ଥ୍ୟ କଥା ବୁଝିବା ପରେ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଆଉ ପରେ ପରେ ସନ୍ଧ୍ୟାରେ କଂଗ୍ରେସର ମୁଖିଆ ମଲ୍ଲିକାର୍ଜୁନେ ଖଡ୍‌ଗେ ନବୀନଙ୍କୁ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଥିଲେ ।

ଦିଲ୍ଲୀରୁ ଆସୁଥିବା ଫୋନ୍ କଲ୍‌କୁ ଦେଖିଲେ ସଂକେତ ମିଳୁଛି ଯେ, ସଂଖ୍ୟା କମ୍‌ ଥାଇ ମଧ୍ୟ ଜାତୀୟ ରାଜନୀତିରେ ଏବେ ବି ନବୀନଙ୍କର ଦବ୍‌ଦବା ରହିଛି । ସମ୍ଭବତଃ ହୋଇପାରେ ଯେ ଆସନ ସଂଖ୍ୟାରେ ବିଜେଡି ପଛୁଆ ଥିଲେ ମଧ୍ୟ ଭୋଟ ସଂଖ୍ୟାରେ ବିଜେଡି ଆଗରେ ରହିଛି । ବିଜେପି ୧ କୋଟି ୬୪ ହଜାର ୮୨୭ ଖଣ୍ଡ ଭୋଟ୍‌ ପାଇ ଶାସନକୁ ଆସିଥିବା ବେଳେ ବିଜେଡି ୧ କୋଟି ୧ ଲକ୍ଷ ୨ ହଜାର ୨୫୪ ଖଣ୍ଡ ଭୋଟ୍‌ ପାଇ ବିରୋଧୀ ଆସନରେ ବସିଛି । ତେଣୁ ଉଭୟ କଂଗ୍ରେସ ଓ ବିଜେପି, ବିଜେଡିର ବଡ଼ ଭୋଟବ୍ୟାଙ୍କ ଉପରେ ନଜର ରଖିବା ସହ ନବୀନଙ୍କୁ ନିଜ ପକ୍ଷକୁ ନେବାକୁ କସରତ କରୁଛନ୍ତି । 
 
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଏପର୍ଯ୍ୟନ୍ତ ବିଜେଡି ନିଜର ସମର୍ଥନ କାର୍ଡ ଖୋଲିନି ।  ସେପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଭବିଷ୍ୟବାଣୀ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ବିଶେଶ୍ବର କହିଛନ୍ତି, ଯେତେ ଯିଏ ଫୋନ୍ କଲେ ବି ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ । ଜବାବରେ ବିଜେଡି କହିଛି, ନବୀନଙ୍କ ଦବ୍‌ଦବା ଦିଲ୍ଲୀରେ ରହିଛି । ଏନ୍‌ଡିଏ, ଇଣ୍ଡିଆ ନା ସମଦୂରତ୍ବ, ଉପରାଷ୍ଟ୍ରପତି ନିର୍ବାଚନରୁ ହିଁ ଜଣାପଡ଼ିଯିବ ଯେ ଆଗକୁ ନବୀନଙ୍କର କ’ଣ ଆଭିମୁଖ୍ୟ ରହିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe