କନକ ବ୍ୟୁରୋ : ଆର୍‌ଡିସି, କୃଷି ଉତ୍ପାଦନ କମିସନର, ରାଜସ୍ବ ପର୍ଷଦ ସଭ୍ୟ, ଗୋପବନ୍ଧୁ ଏକାଡେମି ଅଧ୍ୟକ୍ଷ, କେବିକେ ମୁଖ୍ୟ ପ୍ରଶାସକ । ଏଭଳି କିଛି ସମ୍ମାନଜନକ ପଦବିରେ ଅନୁଭବୀ, ପାରିବାର ଓ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ମିଳିଥାଏ । ରାଜ୍ୟ ଶାସନରେ ଏସବୁ ପଦବିର ଗୁରୁତ୍ବ ଢେର୍ ବେଶି । ହେଲେ ବିଗତ କିଛି ମାସ ଧରି ଏହି ପଦବିକୁ ନେଇ ଗୋଟିଏ ବି ଲକ୍ଷଣ ଓ ବିଡ଼ମ୍ବନା ଦେଖିବାକୁ ମିଳିଲାଣି । 

Advertisment

ଆରଡିସି :  ଗୁରୁତ୍ବପୂର୍ଣ୍ଣ ପଦବି ହେଲେ ଦାୟିତ୍ବ ନେବାକୁ ଅମଙ୍ଗ ହେଉଛନ୍ତି ବାବୁ। ଏହାକୁ ଏବେ ପନିସମେଣ୍ଟ ପୋଷ୍ଟିଂ ବୋଲି ଭାବିଲେଣି । ଦାୟିତ୍ବ ନେଉଥିଲେ ମଧ୍ୟ ଆନ୍ତରିକତା ଦେଖାଉ ନାହାନ୍ତି । 

ଏପିସି  : କୃଷି ବିଭାଗର ସବୁଠୁ ବଡ଼ ପଦବି। ରାଜୀବ ଭବନରେ ବିଶାଳ ପ୍ରକୋଷ୍ଠ ରହିଛି । ଏହି ପଦବିର ଉଦ୍ଦେଶ୍ୟ ଥିଲା ଜଳସଂପଦ, କୃଷି, ସମବାୟ ଆଦି ବିଭାଗ ମଧ୍ୟରେ ସମନ୍ବୟ ଆଣିବା । ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଏହି ପଦରେ ନିଯୁକ୍ତି ପାଇଥା’ ନ୍ତି । ହେଲେ ଦୀର୍ଘଦିନ ହେବ ଏହି ପଦବି ଫାଙ୍କା ପଡ଼ିଛି । ଦାୟିତ୍ବ ନେବାକୁ ନାକ ଟେକୁଛନ୍ତି ଅଧିକାରୀ । 

ଗୋପବନ୍ଧୁ ଏକାଡେମି : ଏଠାରେ ପ୍ରାଶାସନିକ ଅଧିକାରୀଙ୍କୁ ଜନସେବା ପାଇଁ ପ୍ରଶିକ୍ଷଣ ଦିଆଯାଏ । ଅନୁଭବୀ ଅଧିକାରୀଙ୍କୁ ଏହି ଦାୟିତ୍ବ ମିଳିଥାଏ । ହେଲେ ଏହି ପଦବିରେ ନିଯୁକ୍ତିକୁ ବାବୁମାନେ ପନିସମେଣ୍ଟ ପୋଷ୍ଟିଂ ବୋଲି ଧରି ନେଉଛନ୍ତି । ଏହିଭଳି କିଛି ଗୁରୁତ୍ବପୂର୍ଣ୍ଣ ପଦବିର ଦାୟିତ୍ବ ନେବାକୁ ପଛଘୁଞ୍ଚା ଦେବା ପଛର ସବୁଠୁ ବଡ଼ କାରଣ ହେଲା ଏଠାରେ ଦବ୍‌ଦବା ଓ କ୍ଷମତା ନାହିଁ । 

ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର । ହେଲେ ମନ୍ଦିର ପ୍ରଶାସନର ଦାୟିତ୍ବ ନେବାକୁ ଆଗଭର ହେଉନାହାନ୍ତି ବାବୁ । ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ତଥାପି ସ୍ଥାୟୀ ପ୍ରଶାସକ ନିଯୁକ୍ତି ଏବେ ବି ପ୍ରହେଳିକା ସାଜିଛି । ବାବୁଙ୍କ ଅତିରିକ୍ତ ଦାୟିତ୍ବ ଭାବେ ଏହାକୁ ସୀମିତ ରଖିଛନ୍ତି ସରକାର । ସେହିଭଳି କେବିକେ  ଅଧ୍ୟକ୍ଷ ପଦ ପଛୁଆ ଜିଲ୍ଲାକୁ ଆଗୁଆ କରିବାକୁ ଦକ୍ଷ ଅଫିସରଙ୍କୁ ସୁଯୋଗ ଦିଆଯାଏ । ହେଲେ ବିଗତ କିଛି ବର୍ଷ ହେବ କେବିକେ ପୋଷ୍ଟିଂକୁ ଯେମିତି ବଡ଼ବଡ଼ିଆ ବାବୁ ଅଭିଶାପ ମଣିଲେଣି ।  ପ୍ରଶ୍ନ ଉଠୁଛି ସରକାରୀ ବାବୁଙ୍କର ଯଦି ଏଭଳି ମନୋଭାବ ରୁହେ ତେବେ କେମିତି ବିକଶିତ ହେବ ଓଡ଼ିଶା ?