କନକ ବ୍ୟୁରୋ:  ସାରା ବିଶ୍ୱରେ ଆନ୍ତର୍ଜାତୀୟ ଆଳୁ ଦିବସ ପାଳନ ହେଉଛି । ଓଡ଼ିଶାରେ ବି ହେଉଛି । କିନ୍ତୁ ଆଳୁ ପାଇଁ ପଡ଼ିଶା ଉପରେ ଓଡ଼ିଶା ଏତେ ନିର୍ଭରଶୀଳ ଯେ ବର୍ଷକୁ ୧୬ଶହ କୋଟିରୁ ଅଧିକ ଟଙ୍କାର ଆଳୁ ଆମଦାନୀ କରିବାକୁ ପଡୁଛି । ଅର୍ଥାତ ପଡ଼ୋଶୀର ଦୟା ହେଲେ ଓଡ଼ିଶାରେ ଆଳୁ ତରକାରୀ ହେଉଛି । କୃଷି ମନ୍ତ୍ରୀ କହିଛନ୍ତି ପ୍ରତିବର୍ଷ ଆଳୁ ବ୍ଲାକମେଲ ଶିକାର ହେବାକୁ ପଡୁଛି । ଆଉ ଏ ବର୍ଷ ଆଳୁ ବ୍ଲାକମେଲ ଚାଲିବ ନାହିଁ । ଚଳିତ ବର୍ଷ ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଯାଇଛି । ଗୋଟିଏ ବର୍ଷରେ ଚାଷୀଙ୍କୁ ବଣ୍ଟନ କରାଯାଇଛି ଦେଢ଼ଲକ୍ଷ କ୍ବିଣ୍ଟାଲ ବିହନ । ୨୦୨୫-୨୬ ପାଇଁ ଖରିଫରେ ୬ ହଜାର ହେକ୍ଟର ଜମିରେ ଆଳୁଚାଷ । ୨୦୨୫-୨୬ ପାଇଁ ରବିରେ ୧୪ ହଜାର ହେକ୍ଟର ଜମିରେ ଆଳୁଚାଷ ।  ଏବର୍ଷ ଓଡ଼ିଶାରେ ଆଳୁ ଅଭାବ ହେବ ନାହିଁ । ଅନ୍ୟପଟେ ଆଳୁ ମିଶନକୁ ନେଇ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ।  
 
ନୂଆ ସରକାର କ୍ଷମତାକୁ ଆସିବା ପରେ ଆଳୁ ଅଭାବ ଦହଗଞ୍ଜ କଲା । ସରକାର କହିଥିଲେ ଆଳୁରେ ଓଡ଼ିଶା ଆତ୍ମନିର୍ଭର ହେବ । ଚାହୁଁ ଚାହୁଁ ବର୍ଷେ ବିତିଲାଣି କିନ୍ତୁ ତୃଣମୂଳସ୍ତରରେ ସେମିତି କିଛି ଦେଖିବାକୁ ମିଳୁନି । ରିପୋର୍ଟ ଅନୁସାରେ 
ଓଡ଼ିଶାକୁ ବର୍ଷକୁ ଦରକାର ୧୩ ଲକ୍ଷ ଟନ୍ ଆଳୁ  
ଓଡ଼ିଶାରେ ଉତ୍ପାଦିତ ହେଉଛି ୨ ଟନ୍ ଆଳୁ 
୧୧ ଟନ ଆଳୁ ଆମଦାନୀ ହୋଇଆସୁଛି
ବଜାର ବିଶେଷଜ୍ଞ କହିଛନ୍ତି, ଉଭୟ ରବି ଓ ଖରିଫ ଫସଲକୁ ମିଶାଇଲେ ମଧ୍ୟ ଓଡ଼ିଶାରେ ଆଳୁ ଆବଶ୍ୟକତା ପୂରଣ ହେବା ଭଳି ମନେ ହେଉନାହିଁ ।  ପୂର୍ବରୁ ଆଳୁ ସଂକଟ ଦୂର କରିବା ପାଇଁ ଆଳୁ ମିଶନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଫଳ କିନ୍ତୁ କିଛି ମିଳିନି । ଏବେ ମୋହନ ସରକାର ଅଣ୍ଟା ଭିଡିଛନ୍ତି । ଆଗକୁ ଆଳୁର ଅଭାବ ସମୟ ଆସିଲେ ଜଣାପଡିବ ସରକାରଙ୍କ ପ୍ରସ୍ତୁତି କେତେ ଫଳପ୍ରଦ ହୋଇଛି ।