କନକ ବ୍ୟୁରୋ : ପଶ୍ଚିମବଂଗ ସରକାର ଓଡିଶାକୁ ଆଳୁ ପଠାଇବା ବନ୍ଦ କରିବା ପରେ ଆମ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଦିନ ଗଡିବା ସହ ଆଳୁ ଦର ବଢ଼ି ଚାଲିଛି । ହେଲେ, ଆଳୁ ଦର ବୃଦ୍ଧି କଥାକୁ ମାନିବାକୁ ନାରାଜ ବିଭାଗୀୟ ମନ୍ତ୍ରୀ। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ..
ଆଳୁ କିଲୋପିଛା ୩୦ଟଙ୍କାରେ ନିଜେ କିଣିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହୁଥିବାବେଳେ ବାସ୍ତବରେ ବଜାରରେ ଆଳୁ ଦର ଗତ ଦୁଇଦିନ ଭିତରେ କିଲୋ ପ୍ରତି ୧୦ ଟଙ୍କାରୁ ଅଧିକ ବଢିସାରିଛି । ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଦେବା ବନ୍ଦ କରିଦେବା ପରେ ଆମ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଆଳୁ ଦର ମାତ୍ର ଦିନକରେ ପ୍ରାୟ ୧୦ଟଙ୍କା ବଢ଼ି ଯାଇଛି ।
ଗୋଟିଏ ପଟେ ଆଳୁ ଦର ବଢ଼ୁଥିବାବେଳେ ଆଉ ଗୋଟିଏ ପଟେ ବେଫିକର ହୋଇ ବସିଛି ଯୋଗାଣ ବିଭାଗ। ନଜେ ମନ୍ତ୍ରୀ ଗୋଲ ଗୋଲ ଉତ୍ତର ଦେଉଛନ୍ତି । ତେବେ ଉତ୍ତରପ୍ରଦେଶରୁ ଆଳୁ ଆସୁଛି ଏବଂ ଖୁବଶୀଘ୍ର ସଂକଟ ଦୂର ହେବ ବୋଲି କହିଛନ୍ତି । ଏଥିସହ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଆଳୁ ଓଡିଆ ଲୋକଙ୍କର ପ୍ରମୁଖ ପରିବା ହୋଇଥିବାରୁ ଦର ବଢ଼ିବା ସମସ୍ତଙ୍କୁ ବାଧୁଛି। ଆଳୁ ଦର ବୃଦ୍ଧି ସମସ୍ତଙ୍କ ପକେଟ ଉପରେ ସିଧାସଳଖ ପଡୁଛି। ହେଲେ, କେବେ ଏହି ସମସ୍ୟାର ସମାଧାନ ହେବ ତାର ଉତ୍ତର କାହା ପାଖରେ ନାହିଁ।