କନକ ବ୍ୟୁରୋ: ଆଳୁକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଖାସ କରି ଓଡ଼ିଶାରେ ଆଳୁକୁ ନେଇ ନିଇତି ନୂଆ ଖବର ଆସୁଛି । କେତେବେଳେ ଦର ବଢିଯାଉଛି ତ ଆଉ କେତେବେଳେ ଆଳୁ ଉଭାନ ହୋଇଯାଉଛି । ୩ ରୁ ୪ ମାସ ହେଲାଣି ଆଳୁକୁ ନେଇ ରାଜନୀତି ବି ଜୋର ଚାଲିଛି । କେତେବେଳେ ଆଳୁ ବଙ୍ଗରୁ ଆସିବ ବୋଲି ସରକାର କହୁଥିବା ବେଳେ ଆଉ କେତେବେଳେ ୟୁପିରୁ ଆସୁଛି ଆଳୁ । କିନ୍ତୁ ୟୁପିରେ ଆଳୁ ଚାଷୀଙ୍କୁ ନେଇ ଯେଉଁ ଖବର ସାମ୍ନାକୁ ଆସୁଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କାରଣ ଏଣିକି ୯୦ ଦିନ ନୁହେଁ ବରଂ ୬୦ ଦିନରେ ଆଳୁ ଉତ୍ପାଦନ ହେବ ବୋଲି କୁହାଯାଉଛି ।
ଆଳୁ ଉତ୍ପାଦନରେ ୟୁପି ଏକ ନମ୍ୱର କୁହାଯାଏ । ସେଠାକାର ପାଣିପାଗ ଆଳୁ ଚାଷ ଲାଗି ବେଶ ଭଲ । ତେଣୁ ଲକ୍ଷାଧିକ ଲୋକ ଆଳୁ ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ଏବେ ଆଳୁକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି, ଆଳୁ ଚାଷୀମାନେ ନିଜ ଫସଲ ଅମଳ କରିବାକୁ ଆଉ ୩ ମାସରୁ ଅଧିକ ସମୟ ଅପେକ୍ଷା କରିବେ ନାହିଁ ବରଂ ୨ ମାସରେ କ୍ଷେତରେ ଫଳିବ ଆଳୁ । କାନପୁରର ଚନ୍ଦ୍ରଶେଖର ଆଜାଦ୍ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ ଆଳୁକୁ ନେଇ ଗବେଷଣା କରାଯାଇଛି ତାହା ସଫଳ ହୋଇଛି । ଗବେଷଣା ଅନୁସାରେ ମାତ୍ର ୬୦ ଦିନରେ ନୂଆ କିସମରୁ ଆଳୁ ଉତ୍ପାଦନ କରିପାରିବେ ଚାଷୀ ।
ଆଳୁ ଚାଷୀଙ୍କ ଲାଗି ସଞ୍ଜିବନୀ ହେବ ପି ୧୧୮ କେ
ଏହି କିସମରେ ଶୀଘ୍ର ଉତ୍ପାଦନ ହେବ ଫସଲ
ଗବେଷଣାରେ କୁହାଯାଇଛି କି, ପି ୧୧୮ କେ କିସମ ଚାଷୀଙ୍କ ପାଇଁ ଲାଭପ୍ରଦ ହେବ । ପୂର୍ବରୁ ଚାଷୀମାନେ ଯେଉଁ ଆଳୁ ଉତ୍ପାଦନ କରୁଥିଲେ ସେମାନଙ୍କୁ ୩ ମାସ ଅପେକ୍ଷା କରିବାକୁ ପଡୁଥିଲା ଫସଲ ଉତ୍ପାଦନ କରିବାକୁ । ହେଲେ ପି ୧୧୮ କେ କିସମ ମାତ୍ର ୬୦ ଭିତରେ ଫସଲ ଉତ୍ପାଦନ କରାଇପାରିବ । ଖାଲି ଏତିକି ନୁହେଁ ବରଂ ଏହି କିସମରେ ଫଳ ବି ଅଧିକ ଉତ୍ପାଦନ ହେବ । ଯାହାଦ୍ବାରା ଚାଷୀମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ।
ନୂଆ କିସମ ଦେଖିବାକୁ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍
ୟୁପିର ଗବେଷକମାନେ ଯେଉଁ ନୂଆ କିସମର ଆଳୁ ଉତ୍ପାଦନ କରିଛନ୍ତି ତାହାକୁ ପରୀକ୍ଷା କରିବାକୁ କେନ୍ଦ୍ରୀୟ ସଂସ୍ଥା ବି ୟୁପି ଯାଇଥିଲେ । ପରୀକ୍ଷା ପରେ କେନ୍ଦ୍ରୀୟ ଟିମ୍ କହିଥିଲା କି, ଏହି କିସମ ଅତ୍ୟନ୍ତ ଫଳପ୍ରଦ । ଚାଷୀମାନେ ଏହାକୁ ବ୍ୟବହାର କଲେ ଲାଭ ପାଇବେ । ଆଗାମୀ ଦିନରେ ଏହି କିସମ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଉଛି । କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ହେଲେ ଫସଲହାନୀ ଆଦି ଅନେକ ସମସ୍ୟାର ସାମ୍ନା କରୁଛନ୍ତି ଚାଷୀ । ଏବେ ଚାଷୀମାନଙ୍କ ପାଇଁ ଯେଉଁ ନୂଆ କିସମ ଦିଆଯିବ ତାହା ସେମାନଙ୍କୁ କମ୍ ସମୟରେ ଅଧିକ ଲାଭ ଦେବ ବୋଲି କୁହାଯାଉଛି ।