କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଆସୁନି ଆଳୁ ଗାଡ଼ି । କୌଣସି ରାଜ୍ୟକୁ ଆଳୁ ଦେବାକୁ ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ଓଡିଶା ସୀମାରେ ଠିଆ ହୋଇଛି ଆଳୁ ଗାଡ଼ି । ହେଲେ ରାଜ୍ୟକୁ ପ୍ରବେଶ କରୁନି । ଯାହା ଆଗାମୀ ଦିନରେ ଆଳୁ ସଙ୍କଟ ଆଶଙ୍କା ସୃଷ୍ଟି କରିଛି ।
ଏପଟେ କିନ୍ତୁ ରାଜ୍ୟ ସରକାର କହିଛନ୍ତି, ଗ୍ରାହକଙ୍କୁ ୩୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ । ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏପଟେ ରାଜ୍ୟରେ କେଉଁଠି ୩୦, ତ କେଉଁଠି ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଛି ଆଳୁ । କଟକ ଛତ୍ରବଜାରରେ ଆଳୁ ଦର କେଜି ପିଛା ୩୫ ଟଙ୍କା ରହିଛି । ଆଳୁ, ପିଆଜ ଭଳି ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଗତକାଲି ଆଳୁ ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଆଳୁ ସମସ୍ୟା ନାହିଁ, କେହି ଚିନ୍ତିତ ହୁଅନ୍ତୁନି, ଉତ୍ତର ପ୍ରଦେଶରୁ ଆଳୁ ଅର୍ଡର ହେଇଛି । ଗ୍ରାହକକୁ ୩୦ ଟଙ୍କାରେ ଆଳୁ ମିଳିବ । ଏହି ସମସ୍ୟା ଆଜିର ନୁହେଁ କହି ପୂର୍ବ ସରକାର ଉପରେ ଦୋଷ ଠେଲିଛନ୍ତି ମନ୍ତ୍ରୀ ।