କନକ ବ୍ୟୁରୋ : ଲିଙ୍କ୍‌ ଫେଲ୍ୟୁର ଯୋଗୁ ରାଜ୍ୟରେ ଡାକସେବା ଅଚଳ ହୋଇପଡ଼ିଛି । କୌଣସି କାମ ପାଇଁ ଗ୍ରାହକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ସପ୍ତାହେରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଲାଗିଛି  ଅଚଳାବସ୍ଥା। ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେର ଲଞ୍ଚ୍‌ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସପ୍ତାହେରୁ ଅଧିକ ସମୟ ବିତି ସାରିଥିଲେ ବି ସମସ୍ୟା ଯଥା ପୂର୍ବଂ ତଥା ପରଂ । ଷ୍ଟିଲ୍ ସିଟି ରାଉରକେଲା ମୁଖ୍ୟ ପୋଷ୍ଟ ଅଫିସରେ ଲାଗିଛି ଗ୍ରାହକଙ୍କ ଭିଡ଼ । ସ୍ପିଡ୍ ପୋଷ୍ଟ ହେଉ କି ଅନ୍ୟ କାମ ପୋଷ୍ଟ ଅଫିସରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଲମ୍ବା ଲାଇନ୍‌ । ରାଜଧାନୀ ଭୁବନେଶ୍ୱରର ଭିନ୍ନ ଭିନ୍ନ ପୋଷ୍ଟ ଅଫିସକୁ ଦୌଡ଼ିବା ପରେ ଶେଷ ଭରସା ଭାବେ ପ୍ରଧାନ ଡାକଘର ତଥା ଜେନେରାଲ ପୋଷ୍ଟ ଅଫିସକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଦୂର ଦୂରାନ୍ତରୁ ଆସି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ରହୁଥିଲେ ବି ଦିନକରେ କାମ ଛିଡୁନି । ତେଣୁ ଆଉ ଗୋଟିଏ ଦିନ ପୁଣି ଆସିବାକୁ ପଡୁଛି । ସ୍ପିଡ୍‌ ପୋଷ୍ଟ ହେଉ ବା ଟଙ୍କା ଡିପୋଜିଟ୍‌ ଓ ଉଠାଣ ପାଇଁ ଧାଡ଼ି ବାନ୍ଧି ଠିଆ ହେବାକୁ ପଡୁଛି । ସବୁଠାରୁ ବଡ଼ କଥା ହେଲା ଡାକଘରେ ଲିଙ୍କ୍‌ ଫେଲ୍‌ ସମସ୍ୟାର କେବେ ହେବ ସମାଧାନ ତାର ଉତ୍ତର କାହା ପାଖରେ ନାହିଁ । କର୍ତ୍ତୃପକ୍ଷ ବି  କୌଣସି ଉତ୍ତର ଦେବାକୁ ନାରାଜ ।   

Advertisment