କନକ ବ୍ୟୁରୋ : ସପ୍ତାହରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା । ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍ ଫେଲ୍ର ଫଳକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେୟାର ଲଞ୍ଚ୍ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସପ୍ତାହରୁ ଅଧିକ ସମୟ ବିତି ସାରିଥିଲେ ବି ସମସ୍ୟା ଯଥା ପୂର୍ବଂ ତଥା ପରଂ । ତେଣୁ ସ୍ଥାୟୀ ସମାଧାନ ପାଇଁ ଡାକସେବା ଅଧିକାରୀ ଚିନ୍ତା କରନ୍ତୁ ବୋଲି ସାଧାରଣ ଲୋକ ଅନୁରୋଧ କରିଛନ୍ତି ।
ଖୋଦ ରାଜଧାନୀ ଭୁବନେଶ୍ୱରର ଭିନ୍ନଭିନ୍ନ ପୋଷ୍ଟ ଅଫିସକୁ ଦୌଡ଼ିବା ପରେ ଶେଷ ଭରସା ଭାବେ ପ୍ରଧାନ ଡାକଘର ତଥା ଜେନେରାଲ ପୋଷ୍ଟ ଅଫିସକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଦୂର ଦୂରାନ୍ତରୁ ଆସି ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ରହୁଥିଲେ ବି ଦିନକରେ କାମ ଛିଣ୍ଡୁନି । ତେଣୁ ଆଉ ଗୋଟିଏ ଦିନ ପୁଣି ଆସିବାକୁ ପଡ଼ୁଛି । ସ୍ପିଡ୍ ପୋଷ୍ଟ ହେଉ ବା ଟଙ୍କା ଡିପୋଜିଟ୍ ଓ ଉଠାଣ ପାଇଁ ଧାଡ଼ିବାନ୍ଧି ଠିଆ ହେବାକୁ ପଡୁଛି ।
ପୋଷ୍ଟ ଅଫିସରେ ଇଏ କି ହାଲ ! ଘଣ୍ଟାଏ ଠିଆ ହେବାକୁ ପଡ଼ୁଛି । ଷ୍ଟିଲ ସିଟି ରାଉରକେଲା ମୁଖ୍ୟ ପୋଷ୍ଟ ଅଫିସରେ ଗ୍ରାହକଙ୍କ ଭିଡ଼ । ସ୍ପିଡ୍ ପୋଷ୍ଟ ହେଉ କି ଅନ୍ୟ କାମ । ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ଗୋଟିଏ କାମ ସରିବାକୁ ଘଣ୍ଟାଏ ଅପେକ୍ଷା କରିବାକୁ ଗ୍ରାହକଙ୍କୁ । ଏପଟେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଗୋଡ଼ ବିନ୍ଧା ହେଉଥିବା କହିଛନ୍ତି ଗ୍ରାହକ ।