କନକ ବ୍ୟୁରୋ: ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରାମ ପରେ ଟ୍ରମ୍ପଙ୍କ ବଦଳିଲା ସ୍ୱର । ନାଟୋ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଯାହା କହିଲେ ତାକୁ ନେଇ ବିଶ୍ୱ ରାଜନୈତିକ ମହଲରେ ହଇଚଇ ଖେଳି ଯାଇଛି । "ଇରାନ ପାଖରେ ତେଲ ଅଛି, ସେମାନେ ବୁଦ୍ଧିମାନ ଲୋକ । କିନ୍ତୁ ଇସ୍ରାଏଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହି ବାଲିଷ୍ଟିକ ମିସାଇଲ ବହୁତ କିଛି ନଷ୍ଟ କରିଦେଇଛି " ଏହା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ଇରାନର ଦାବିକୁ ବଳ ଦେଇଛି ।
ବିଶ୍ୱ ଦରବାରକୁ ବାର୍ତ୍ତା ଯାଇଛି ଶାନ୍ତିର ଭିକ୍ଷା ତଥା ଯୁଦ୍ଧ ବିରାମ ପାଇଁ ପ୍ରଥମେ ଇସ୍ରାଏଲ ପ୍ରସ୍ତାବ ଦେଇଥିଲା ଇରାନ ନୁହେଁ । ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରକୃତ ବିଜୟୀ କିଏ ଆକଳନ କରିବା ପାଇଁ ସାରା ଦୁନିଆର ଗଣମାଧ୍ୟମ, ପ୍ରତିରକ୍ଷା ବିଶେଷଜ୍ଞ, ଗୁଇନ୍ଦା ଏଜେନ୍ସିକୁ ମାସାଧିକ କାଳ ସମୟ ଲାଗିଥାନ୍ତା । ତାହାକୁ ମାତ୍ର କିଛି ଶବ୍ଦରେ, ଅତି ସହଜରେ ସମସ୍ତଙ୍କ ସାମ୍ନାରେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦୀର୍ଘ ଦିନ ହେଲା ସୈତାନ କହି ଆସୁଥିବା ଇରାନ ପ୍ରତି ହଠାତ୍ ଟ୍ରମ୍ପଙ୍କ ସ୍ୱର ବଦଳିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଚର୍ଚ୍ଚା ହେଉଛି ଇରାନକୁ ଡରାଇ ଧମକାଇ ମୁହଁବନ୍ଦ କରିବା ସମ୍ଭବ ନୁହେଁ ଜାଣିବା ପରେ ଟ୍ରମ୍ପ ଏପରି କଥା କୂଟନୈତିକ ଚାଲ ଖେଳିଛନ୍ତି ।
ଅନ୍ୟପଟେ ଟ୍ରମ୍ପଙ୍କ ବୟାନରେ ଥିବା ସତ୍ୟତାକୁ ଇସ୍ରାଏଲ ମଧ୍ୟ ଖାରଜ କରିପାରିବ ନାହିଁ । କାରଣ ଇସ୍ରାଏଲର କ୍ଷୟକ୍ଷତି ନେଇ ନେତାନ୍ୟାହୁଙ୍କ ପ୍ରଶାସନର ଦସ୍ତାବିଜ ଗୁମର ଖୋଲି ଦେଇଛି । ଇସ୍ରାଏଲର ଟ୍ୟାକ୍ସ ଅଥରିଟି ଅନୁସାରେ କ୍ଷତିପୂରଣ ପାଇବାକୁ ୩୮ହଜାର ୭୦୦ଟି ଆବେଦନ ହୋଇଛି । ସେଥିମଧ୍ୟରୁ ୩୦ ହଜାର କେବଳ କ୍ଷତିଗ୍ରସ୍ତ ଘର ପାଇଁ ସରକାରୀ ସହାୟତା ପାଇବାକୁ ଆବେଦନ କରିଛନ୍ତି । ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ ରାଜଧାନୀ ତେଲଅଭିଭ, ହାଇଫା, ଅସଦୋଦ ଭଳି ସହରର ବାସିନ୍ଦା ଘର କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।