କନକ ବ୍ୟୁରୋ : ଦୁଇଦିନରେ ବାଣ କଟକଣାକୁ କେହି ମାନିଲେନି । ଏବେ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ର ଚିନ୍ତା ବଢାଇଛି । ଧୂଆଁମୟ ଆକାଶ ସାଙ୍ଗକୁ ଘନ କୁହୁଡିରେ ରାଜଧାନୀର ଆକାଶ ଆଚ୍ଛାଦିତ ହୋଇଥିଲା । ବିଷାକ୍ତ କେମିକାଲ ବାୟୁମଣ୍ଡଳରେ ରହିବା ଦ୍ୱାରା ପ୍ରଦୂଷଣର ମାତ୍ରା ବଢିଛି ।
ଗୁରୁବାର ଓ ଶୁକ୍ରବାର ଢୋ ଢା ଫୁଟିଲା ବାଣ । ଆଉ କାଲି ସଂନ୍ଧ୍ୟା ସମୟରୁ ସକାଳ ପର୍ୟ୍ୟନ୍ତ ରାଜଧାନୀର ଆକାଶ ଧୁଆଁମୟ ହୋଇପଡିଥିଲା । ୫୦ମିଟରରୁ କମ ହୋଇଗଲା ଦୃଶ୍ୟମାନ ଦୂରତା । ସକାଳ ସମୟରେ ଦେଖିବାକୁ ମିଳିଥିଲା ଘନ କୁହୁଡ଼ିର ଆସ୍ତରଣ । ସନ୍ଧ୍ୟା ୭ଟାରୁ ରାତି ୯ଟା ଦୁଇ ଘଣ୍ଟା ପାଇଁ ବାଣଫୁଟିବ ବୋଲି କଟକଣା ହେଲା । ହେଲେ ବିଳମ୍ବିତ ରାତି ଯାଏଁ ଲଗାତାର ଦୁଇ ଦିନ ଧରି ବାଣ ଫୁଟା ଚାଲିଲା । ଯାହାର ଫଳରେ ବାୟୁର ଗୁଣାତ୍ମକ ସୂଚକାଙ୍କ ଖରାପ ହୋଇଯାଇଛି । ଗତକାଲି ସକାଳେ ବର୍ଷା ତ୍ରାହି ଦେଲା ହେଲେ ଆଜି ସକାଳେ ଏକ୍ୟୁଆଇ ଅର୍ଥାତ ବାୟୁର ଗୁଣାତ୍ମକ ସୂଚକାଙ୍କ ସର୍ବାଧିକ ୨୩୩ ରହିଥିଲା ।
ଦୁଇଦିନ ଧରି ବାଣଫୁଟା ଅମାନିଆ ବାଣଫୁଟା ଯୋଗୁଁ ବାୟୁମଣ୍ତଳରେ ପ୍ରଦୂଷଣର ମାତ୍ରା ବଢ଼ିଛି । ଆର୍ସେନିକ, ଲିଥିୟମ, ବେରିୟମ ଭଳି ବିଷାକ୍ତ କେମିକାଲ ବାୟୁମଣ୍ତଳରେ ଦୀର୍ଘ ସମୟ ଧରି ରହିଲା । ଯାହାଫଳରେ ଘନକୁହୁଡି ସୃଷ୍ଟି ହୋଇଥିଲା । ତେବେ ଏହି ବିଷାକ୍ତ ବାୟୁ ନିଶ୍ୱାସରେ ନେବା ଦ୍ୱାରା ସୁସ୍ଥ ମଣିଷ ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ବୋଲି ବରିଷ୍ଠ ଚିକିତ୍ସକ କହିଛନ୍ତି ।
ଏତେ ସଚେତନ ପରେ ବି ପ୍ରଦୂଷଣ ନିୟନ୍ତ୍ରଣ ସମ୍ଭବ ହେଉନାହିଁ । ପ୍ରତିବର୍ଷ ବାୟୁର ଗୁଣାତ୍ମକ ମାନ କମି କମି ଚାଲିଛି । ଆଉ ଆଗକୁ ରାଜଧାନୀ ଭୁବନେଶ୍ୱରର ସ୍ଥିତି ଦିଲ୍ଲୀ ପରି ହେବ ବୋଲି ଚେତାବନୀ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।