କନକ ବ୍ୟୁରୋ:  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ତଥା ପାଶ୍ୱର୍ବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ପରେ ଏହା ଛତିଶଗଡ଼ ମୁହାଁ ହୋଇପାରେ । ତେବେ ଏହାର ପ୍ରଭାବରେ ୫ରୁ ୭ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସେହିପରି ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୫ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ଗତ ୨୪ ଘଣ୍ଟା ମଧ୍ୟରେ ଜିଉଦୟଗିରିରେ ସର୍ବାଧିକ ୪୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତୁରେଇକେଲାରେ ୩୯.୬, ନୂଆପଡ଼ାରେ ୩୭.୪, ଦାରିଙ୍ଗବାଡ଼ିରେ ୨୮ ଓ ତାଳଚେରରେ ୨୦ ମିଲିମିଟର ବର୍ଷା ହୋଇଛି ।