କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କରିପାରନ୍ତି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ । ଭାରତରେ, ସମ୍ଭବତଃ ଓଡ଼ିଶାରେ ଏକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଜେଏସ୍‌ଡବ୍ଲୁ  ଷ୍ଟିଲ୍‌ ଓ ପୋସ୍କୋ ଗ୍ରୁପ୍‌ ଚୁକ୍ତିବଦ୍ଧ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଶିଳ୍ପମନ୍ତ୍ରୀଙ୍କ ଏ ଇଙ୍ଗିତ, ରାଜ୍ୟକୁ ପୁଣିଥରେ ପୋସ୍କୋ ଫେରିବା ସମ୍ଭାବନାକୁ ଅଧିକ ଉଜ୍ଜିବୀତ କରିଛି । 

Advertisment

ଶିଳ୍ପ ମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ jsw ପାଇଁ ଜମି ଅଧିଗ୍ରହଣ ଚାଲିଛି । ଏହାରି ଭିତରେ ପୋସ୍କୋ jsw ସହ ସହଭାଗିତା ପାଇଁ ଏମଓୟୁ କରିଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ବହୁ ଶିଳ୍ପସଂସ୍ଥା ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି କାରଣରୁ ଶିଳ୍ପପତି ଏବେ ଓଡ଼ିଶା ଉପରେ ଅଧିକ ଭରସା କରୁଛନ୍ତି । ଓଡ଼ିଶାକୁ ପ୍ରଥମ ପସନ୍ଦ ଭାବେ ବାଛୁଛନ୍ତି । ପୂର୍ବରୁ ଶିଳ୍ପରେ ବାଧା ଉପୁଜିଥିଲା । ଏବେ ଓଡ଼ିଶାରେ ଶିଳ୍ପର ଧାରା ବହିବ । ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଏକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ବିତ ଷ୍ଟିଲ୍‌ ପ୍ଲାଣ୍ଟ ବସାଇବା ଲାଗି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଜେଏସଡବ୍ଲୁ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିଲା । ଏପରିକି ପ୍ରସ୍ତାବିତ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ଜୋରସୋରରେ ଆଗେଇ ଚାଲିଛି । ଦେଶରେ ଏକ ୬ ନିୟୁତ ଟନ୍‌ କ୍ଷମତାର ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ଲାଗି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏବେ ପୋସ୍କୋ ଗ୍ରୁପ୍ ସହ ଚୁକ୍ତିବଦ୍ଧ ହୋଇଛି । ସେମାନେ ଯେଉଁଠି କରିବାକୁ ଚାହିବେ ସରକାର ତାଙ୍କୁ ସହଯୋଗ କରିବେ ।