କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ବସ୍ତିରେ ଜନସଂଖ୍ୟା ବଢ଼ି ଚାଲିଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି। ତେବେ ଜନସଂଖ୍ୟା ବଢ଼ୁଥିବାବେଳେ କେମିତି ରହୁଛନ୍ତି ବସ୍ତିବାସିନ୍ଦା ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍। 

Advertisment

ରାଜଧାନୀର ସବୁଠାରୁ ବଡ ବସ୍ତି ସାଲିଆ ସାହିରେ ପହଞ୍ଚିଥିଲା କନକ ନ୍ୟୁଜ୍ ଟିମ୍। ଆଉ କ୍ୟାମେରାରେ କଏଦ ହୋଇଥିଲା ବସ୍ତିର ବାସ୍ତବ ଚିତ୍ର। ଛୋଟିଆ ଛୋଟିଆ ଘର ଭିତରେ ଖୁନ୍ଦା ଖୁନ୍ଦି ହୋଇ ରହୁଛନ୍ତି ଗୋଟିଏ ଗୋଟିଏ ପରିବାର। କେତେବେଳେ ପାଣି ଆସୁଛି ତ ଆଉ କେତେବେଳେ ପାଣି ଆସୁନି। ଲାଗୁଛି ଯେମିତି ମୌଳିକ ସୁବିଧା ଏମାନଙ୍କଠାରୁ ବହୁ ଦୂରରେ। ସେହପରି କଲରାପୁଟ ବସ୍ତିବାସିନ୍ଦା କହିଛନ୍ତି ସେମାନଙ୍କ ଦୁଃଖ କାହାଣୀ। 

ରାଜ୍ୟର ସବୁଠାରୁ ପୁରୁଣା ସହର କଟକରେ ବସ୍ତି ଜନସଂଖ୍ୟା ବଢ଼ି ଚାଲିଛି। ରୋଜଗାର କରିବା ଆଶା ନେଇ ଲୋକେ ଗାଁ ଛାଡି ସହରରେ ଆସି ରହୁଛନ୍ତି। ସେହିପରି ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବହ୍ମପୁରର ସ୍ଥିତି ନକହିବା ଭଲ। ସର୍ବନିମ୍ନ ମୌଳିକ ସୁବିଧା ସେମାନଙ୍କ ପାଇଁ ସାତ ସପନ ହୋଇଛି। 

ତେବେ ବସ୍ତି ବଢ଼ିବା ପାଇଁ ପୂର୍ବ ସରକାର ଦାୟୀ ବୋଲି ସିଧା ସଳଖ ଅଭିଯୋଗ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ରାଜନୈତିକ ଅଭିସନ୍ଧି ରଖି ଏଲଆରସି ବାଣ୍ଟିବା କାରଣରୁ ବସ୍ତି ଜନସଂଖ୍ୟା ବଢ଼ିଚାଲିଲା ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ। କିନ୍ତୁ ଏବେ ସେମାନଙ୍କ ଚଳିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ ସହରରେ ଦିନକୁ ଦିନ ବସ୍ତିବାସିନ୍ଦାଙ୍କ ସଂଖ୍ୟା ବଢ଼ି ଚାଲିଥିବା ନେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ ସରକାର।