କନକ ବ୍ୟୁରୋ: ସଭିଏଁ ପକ୍କା ଘରେ ରହିବେ । ମୁଣ୍ଡ ଉପରେ ଆଉ ଚାଳ ଛପର ରହିବନି । ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଉଛନ୍ତି ସରକାର । ହେଲେ ନିପଟ ମଫସଲରେ ଧର୍ମକୁ ଆଖିଠାର ପାଲଟିଛି ଆବାସ ଯୋଜନା । ଗାଁ ଠିକାଦାରଙ୍କ କବଜାରେ ଯୋଜନା । ହିତାଧୀକାରୀଙ୍କ ସବୁ ଟଙ୍କା ନେଇଯାଇ ପକ୍କା ଘର ତ' ତିଆରି କରୁଛନ୍ତି, ହେଲେ ରହିବାଯୋଗ୍ୟ ନୁହେଁ । ତେଣୁ ଆବାସ ଘର ପାଇ ବି ଭାଗ୍ୟକୁ ଆଦରି ପୁଣି ସେଇ ପୁରୁଣା ମାଟି ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ବହୁ ହିତାଧିକାରୀ ।
ଏହା ବି ପଢ଼ନ୍ତୁ: କୁଢ଼କୁଢ଼ ପାଉଁଶର ପାହାଡ଼: କେଉଁଠି ରାସ୍ତା ତ ଆଉ କେଉଁଠି ବିଲ ମଝିରେ
ବାଲି ଯୋଡ଼େଇ ମାତ୍ର କେଇ ଖଣ୍ଡ ଇଟା ଉପରେ ଛିଡ଼ା ହୋଇଛି କଂକ୍ରିଟ୍ ଛାତ । ସେଣ୍ଟରିଂର ପାଲ ଛାଡ଼ିନି, ସେପଟେ ଦେଖାଗଲାଣି ଛାତର ଛଡ଼ । ହାତ ଲଗେଇଲେ ଦୋହଲି ଯାଉଛି ଘର ସାମ୍ନା ତାଜା । ବର୍ଷା ହେଲେ ଘର ସାରା ପାଣି । ଛାତକୁ ଅନେଇଲେ, ଲାଗୁଛି ଯେମିତି ଏଠି ଅପେକ୍ଷା କରିଛି ଜମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ପକ୍କା ଘର ଭିତରକୁ ପଶିବାକୁ ଡରୁଛନ୍ତି ଅନୁଗୁଳ କିଶୋରନଗର ବ୍ଲକ୍ ହଣ୍ଡପା ପଞ୍ଚାୟତ ନୂଆଖୁଲାରେଗଡ଼ା ଗାଁର ନିକା ବାର୍ଲାଙ୍କ ପରିବାର ।
ଚାଳ ଛପର ମାଟି ଘରେ ରହୁଥିବାରୁ ପରିବାରର ମୁଖିଆ ଜର୍ଜ ବାର୍ଲାଙ୍କ ନାମରେ ୭ ବର୍ଷ ତଳେ ଆସିଥିଲା ଘର କାର୍ଯ୍ୟାଦେଶ । ଘର ତାଲିକା ବାହାରିବା କ୍ଷଣି ଘରେ ପହଞ୍ଚି ଯାଇଥିଲା ଠିକାଦାର । ଅଭାବୀ ମଣିଷଙ୍କୁ ଫୁସୁଲା ଫୁସିଲି କରି, ଘର ତିଆରି କରିଦେବ ବୋଲି ମନେଇ ଦେଲା । ଠିକାଦାରକୁ ଭରସା କରିଗଲେ ବାର୍ଲା । ଘର କାମ ବି ଆରମ୍ଭ ହେଲା, ୬ ବର୍ଷ ତଳୁ ତିଆରି ମଧ୍ୟ ସରିଛି । ଅତ୍ୟନ୍ତ ନିମ୍ନମାନର କାମ କରି ଠିକାଦାର ଛୁ’ ମାରିଛି । ଏହାରି ଭିତରେ ଜର୍ଜ ବାର୍ଲା ବି ଆରପାରିକୁ ଚାଲିଗଲେଣି । ହେଲେ ପକ୍କା ଘରେ ରହିବା ସ୍ବପ୍ନ ପୂରଣ ହେଲା ନାହିଁ । ଦୁର୍ବଳ କୋଠା ଘରେ ରହିବାକୁ ଡର ଲାଗୁଥିବାରୁ ପୁରୁଣା ମାଟି ଘରେ ଭାଗ୍ୟକୁ ଆଦରି ନେଇଛନ୍ତି ସ୍ୱର୍ଗତ ଜର୍ଜଙ୍କ ସ୍ତ୍ରୀ ଓ ଝିଅ ।
କେବଳ ନୂଆ-ଖୁଲାରେଗଡ଼ାର ନିକା ବାର୍ଲାଙ୍କ ପରିବାର ଯେ ଏ ଆବାସ ଠକାମିର ଶିକାର ହୋଇଛନ୍ତି ତାହା ନୁହେଁ, ପାଖ ଗାଁ ନୂଆବାଲିଖମଣର ଶୁଦ୍ର ପଧାନଙ୍କର ବି ଏ ସମାନ ଅବସ୍ଥା । ନିଜେ ଘର କରିବାକୁ ସକ୍ଷମ ନଥିବାରୁ ଠିକାଦାର କଥାରେ ଭଳିଗଲେ । ହେଲେ ଘର ତିଆରି ହେବା ଦିନରୁ ହିଁ ପାଣି ଗଳୁଛି । ଏପଟେ ଠିକାଦାର ସବୁ ଟଙ୍କା ନେଇ ଛୁ । ବିଚରା ଶୁଦ୍ର କାନମୁଣ୍ଡ ଆଉଁସି ଏବେ ନିଜର ପୁରୁଣା ଚାଳଛପର ମାଟି ଘରେ ହିଁ ଦିନ ଗଣୁଛନ୍ତି । ହଣ୍ଡପା ପଞ୍ଚାୟତରେ ଏବେ ଏମିତି ଅନେକ ଆବାସ ହିତାଧିକାରୀ ଠିକାଦାରର ମାୟାଜାଲରେ ଛନ୍ଦିହୋଇ ପକ୍କା ଘର ପାଇ ବି ମାଟିଘରେ ଜୀବନ କାଟୁଛନ୍ତି ।
Follow Us