କନକ ବ୍ୟୁରୋ :  ଗର୍ଭବତୀ ଓ କୋମଳମତି ଶିଶୁଙ୍କୁ ଅଙ୍ଗନବାଡ଼ିରେ ମିଳୁଛି ପୃଷ୍ଟିକର ଖାଦ୍ୟ । ଇ- କେୱାଇସି କରି ସାମଗ୍ରୀ ନେବାର ବ୍ୟବସ୍ଥା ରହିଛି । ହେଲେ ଅଙ୍ଗନବାଡ଼ିରେ ମୋବାଇଲ୍‌ ନେଟୱାର୍କ କି ଇଣ୍ଟନେଟ୍‌ ପାଉନଥିବାରୁ ହିତାଧିକାରୀଙ୍କୁ ଜଙ୍ଗଲକୁ ଯିବାକୁ ପଡ଼ୁଛି । ହିତାଧିକାରୀଙ୍କ ଯନ୍ତ୍ରଣାକୁ ନେଇ ମୟୂରଭଞ୍ଜ କପ୍ତିପଦା ବ୍ଲକରୁ ଆସିଛି ଏଭଳି ଖବର । 

Advertisment

କୁନି କୁନି ଛୁଆ କିମ୍ବା ଗର୍ଭବତୀ ମାନଙ୍କୁ ଛତୁଆ, ଲଡ଼ୁ ଭଳି ପୋଷଣ ଖାଦ୍ୟ ଆଣିବାକୁ ପଡ଼ିଲେ, ଯିବାକୁ ପଡ଼ୁଛି ଜଙ୍ଗଲ, ଚଢିବାକୁ ପଡ଼ୁଛି ପାହାଡ଼ । କାରଣ ସମସ୍ୟା କରୁଛି ମୋବାଇଲ୍ ନେଟୱର୍କ । କାହା ହାତରେ ୧୦ଦିନର ଶିଶୁ ତ’ ଆଉ କିଏ ମାସକର ଶିଶୁକୁ କୋଳରେ ଚାପି ଧରି ଜଙ୍ଗଲକୁ ଚାଲିଛନ୍ତି । ଜଙ୍ଗଲ ଭିତରେ ପାହାଡ଼ ଉପରକୁ ଯାଇ ଇ-କେୱାଇସି କଲେ ମିଳିବ ଅଙ୍ଗନବାଡ଼ିରୁ ପୋଷଣ ସାମଗ୍ରୀ । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତରୁ ଆସିଛି ଏଭଳି ଚିତ୍ର । ବାରବାଙ୍କ ଅଙ୍ଗନବାଡ଼ିକୁ ମୋବାଇଲ ନେଟୱର୍କ କି ଇଣ୍ଟରନେଟ ବ୍ୟବସ୍ଥା ନାହିଁ । ତେଣୁ ଫେସ୍ କ୍ୟାପଚର କିମ୍ବା ଇ-କେୱାଇସି ପାଇଁ ଜଙ୍ଗଲ ଓ ପାହାଡ଼ ଚଢ଼ନ୍ତି ଅଙ୍ଗନବାଡି କର୍ମୀ ଆଉ ହିତାଧିକାରୀ । 

 ବାରବାଙ୍କ ଅଙ୍ଗନବାଡ଼ିରେ ଗର୍ଭବତୀ ଓ ପ୍ରସୂତି ମହିଳା ୧୦ ଜଣ ରହିଥିବା ବେଳେ ମା’ ଏବଂ ଛୁଆଙ୍କ ସଂଖ୍ୟା ରହିଛି ୪୧ । ପ୍ରତିମାସରେ ଏମାନେ ନେଟୱର୍କ ଜନିତ ସମସ୍ୟାର ଶିକାର ହୁଅନ୍ତି । କେବଳ ଏହି ଗୋଟିଏ ଅଙ୍ଗନବାଡ଼ି ନୁହେଁ, ଜଡ଼ିଦା ପଞ୍ଚାୟତର ଗାଇପାଣିଖିଆ ଅଙ୍ଗନବାଡ଼ିରେ ମଧ୍ୟ ସମାନ ଅବସ୍ଥା । ସରକାରୀ ଯୋଜନାକୁ  କାର୍ଯ୍ୟକାରୀ  କରିବା ପାଇଁ ନାକେଦମ ହେଉଛନ୍ତି ଅଙ୍ଗନବାଡି କର୍ମୀ ଏବଂ ହିତାଧିକାରୀ । ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।