କନକ ବ୍ୟୁରୋ : ଅସୁରକ୍ଷିତ ସ୍ମାର୍ଟ ସିଟି ରାଉରକେଲାର ଆରଜିଏଚ ମାତୃ ଶିଶୁ ହସ୍ପିଟାଲ । କେଉଁଠି ପାଣି ଗଳୁଛି ତ, କେଉଁଠି ସିଲିଂ ସ୍ଲାବ ଅସୁରକ୍ଷିତ ଅବସ୍ଥାରେ । ହସ୍ପିଟାଲରେ ନିମ୍ନ ମାନର କାମ ନେଇ ଅଭିଯୋଗ ହେବା ସହ ରୋଗୀ ଓ ସମ୍ପର୍କୀୟ ହଇରାଣ ହେବା ସହ ଅସୁରକ୍ଷିତ ମନେ କରୁଛନ୍ତି ।

Advertisment

ବନ୍ଦ ପଡ଼ିଛି ରାଉରକେଲାର ଆରଜିଏଚ ମାତୃଶିଶୁ ହସ୍ପିଟାଲ ଔଷଧ ବିତରଣ କେନ୍ଦ୍ର । ଅସୁରକ୍ଷିତ ମନେ କରି ବନ୍ଦ କରିଦେଇଛନ୍ତି କର୍ମଚାରୀ । କାରଣ ସ୍ଲାବ ଖସିଲା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହସ୍ପିଟାଲ ଷ୍ଟାଫ୍‌। ଏ ଖବର ଆସିଛି ରାଉରକେଲା ଆରଜିଏଚର ମାତୃ ଓ ଶିଶୁ ବିଭାଗରୁ । ପାଞ୍ଚ ମହଲା ବିଶିଷ୍ଠ ଏହି ବିଲଡିଂଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭଙ୍ଗାରୁଜା ଅବସ୍ଥାରେ । ବାହାରୁ ଚକାଚକ ହେଲେ ଭିତର ଫମ୍ପା । ଏଭଳି ସମସ୍ୟା ଯୋଗୁଁ ଅନେକ ବିଭାଗ ବନ୍ଦ ପଡିଛି। ତେବେ ଏନେଇ ହସ୍ପିଟାଲ କତୃପକ୍ଷଙ୍କର ପରବାୟା ନାହିଁ । ସେପଟେ ଚାକିରି ଭୟରେ ମୁହଁଖୋଲୁନାହାଁନ୍ତି କର୍ମଚାରୀ । 

ନ୍ୟାସନାଲ ହେଲଥ ମିଶନ ତରଫରୁ ଶହେ ବେଡ଼ ବିଶିଷ୍ଟ ହସ୍ପିଟାଲ ବିଲଡିଂରେ ପାଖାପାଖି ୨୫ କୋଟି ଟଙ୍କା ଖର୍ଚ ହୋଇଛି କ୍ଷ ୨୦୧୩ ଜୁଲାଇ ୯ରେ ହସ୍ପିଟାଲର  ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହାର କାମ ଏମଏସ ମାଷ୍ଟର କନଶ୍ଟ୍ରକସନ୍‌ କମ୍ପାନୀ କରିଥିଲା । ସୁନ୍ଦରଗଡ଼ ସମେତ ପଡୋଶୀ ଝାରଖଣ୍ଡ ଓ ଛତିଶଗଡର ଅଧିକାଂଶ ଗର୍ଭବତୀ ମହିଳା ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ ସେବା ନେଇ ଡିଣ୍ଡିମ ପିଟୁଥିବା ସରକାରଙ୍କ ନଜର ଏହା ଉପରେ କେମିତି ପଡୁନି ? କାହିଁକି ହସ୍ପିଟାଲ କର୍ତ୍ତୃପକ୍ଷ ସୁରକ୍ଷା ନେଇ ଆଖି ବୁଝି ଦେଇଛନ୍ତି, ମାତୃଶିଶୁ ଭଳି ଏକ ଗୁରୁତ୍ୱପୁର୍ଣ ବିଭାଗର ସୁରକ୍ଷା ନେଇ କାହିଁକି ସମସ୍ତେ ଚୁପ ? ହସ୍ପିଟାଲର ସୁରକ୍ଷା ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବିରୋଧ ଦାବି କରିଛନ୍ତି ।