କନକ ବ୍ୟୁରୋ: ରାଜ୍ୟର ଏକ ନମ୍ବର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଖରାପ । ୭ ମହଲା ବିଶିଷ୍ଟ ଡାକ୍ତରଖାନାଟି ଅନେକ ଅବ୍ୟବସ୍ଥା ଭିତରେ ରହିଛି । ପାଣି ନାହିଁ, ଲିଫ୍ଟ ଚାଲୁନି । ଫଳରେ ଅସୁବିଧା ଭୋଗୁଛନ୍ତି ରୋଗୀ । ନବରଙ୍ଗପୁର ସାଂସଦ ଅଚାନକ ଗସ୍ତ କରି ବ୍ୟବସ୍ଥାରେ ସୁଧାର ଲାଗି ଅଧିକାରୀଙ୍କୁ ତାଗିଦ କରିଛନ୍ତି ।
ରାଜ୍ୟର ଏକ ନମ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିବା ମାଲକାନଗିରିରେ ରହିଛି ଏଭଳି ସମସ୍ୟା । ବାହାରୁ ଚିକ୍ଣ ଦେଖାଯାଉଥିଲେ ବି କୋଠା ଚାରିଆଡ଼େ ଶିଉଳି ଲାଗିଛି । ମାଡ଼ିଗଲାଣି ଗଛଲତା । କାନ୍ଥରୁ ଟାଇଲ ଓ ଛାତରୁ ଖସୁଛି ସିଲିଂ । ରୋଗୀଙ୍କ ଲାଗି ଉଦ୍ଦିଷ୍ଟ ୨ଟି ଲିଫ୍ଟ ପ୍ରାୟ ଏକ ମାସ ଧରି ଅଚଳ। ଡାକ୍ତରଖାନାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ୨ ଲକ୍ଷ ଲିଟର ପାଣି ଦିଆଯାଉଛି, ତାହା ଅଣ୍ଟୁନି। ଉପରଓଳିକୁ ପାଣି ସରିଯାଉଥିବା ଅଭିଯୋଗ ହୋଇଛି ।
ଶୁଣୁନି ପୂର୍ତ୍ତ ବିଭାଗ
ଗୁରୁତ୍ବ ଦେଉନି ଜନ ସ୍ୱାସ୍ଥ୍ୟ ବିଭାଗ
ଅଚାନକ ଗସ୍ତ କରି ବିଗିଡ଼ିଲେ ସାଂସଦ
୭ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି ପୂର୍ତ୍ତ ବିଭାଗ ହାତରେ । ଜଳ ଯୋଗାଣ ଆଉ ପରିମଳ ଭାର ସମ୍ଭାଳୁଛି ଜନ-ସ୍ୱାସ୍ଥ୍ୟ ବିଭାଗ । ଏହି ୨ ବିଭାଗକୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା କରାଯାଉନଥିବା ନବରଙ୍ଗପୁର ସାଂସଦଙ୍କୁ ଜଣାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
୩ ବର୍ଷ ଧରି ସଫେଇ କାମ ଲାଗି ଆହ୍ବାନ ସତ୍ତ୍ୱେ ଟେଣ୍ଡର ଚୂଡ଼ାନ୍ତ ହୋଇପାରୁନି। ବର୍ଷବର୍ଷ ଧରି ଟେକ୍ନୋ ମ୍ୟାନେଜରିଆଲ ନିଯୁକ୍ତି ହୋଇ ନଥିବାରୁ ଝାଡ଼ୁଦାର, ଲିଫ୍ଟମ୍ୟାନ, ମାଳି ଆଦି ପଦବୀ ଖାଲି ପଡ଼ିଛି। ସେପଟେ ୩୦ରୁ ୩୫% ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍କୁ ନେଇ ଚାଲିଛି ୩ଥର କାୟାକଳ୍ପ ପୁରସ୍କାର ପାଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।