କନକ ବ୍ୟୁରୋ : ଭତ୍ତା ଟଙ୍କା ଉପରେ ସରକାରୀ ଅଧିକାରୀଙ୍କ ଆଖି । ଗୋଟିଏ କିମ୍ବା ଦୁଇଟି ନୁହେଁ, ୨୧ ମାସର ବାର୍ଦ୍ଧକ୍ୟ ଭତ୍ତାକୁ ଖାଇ ଚଳୁ କରି ଦିଆଯାଇଥିବା ଭଳି ଆସିଛି ସାଂଘାତିକ ଅଭିଯୋଗ । ଟଙ୍କା ଖାଇଛନ୍ତି ବାବୁ , ହନ୍ତସନ୍ତ ହେଉଛନ୍ତି ପ୍ରକୃତ ହିତାଧିକାରୀ ।
ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୨୧ ମାସର ଭତ୍ତା ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ହିସାବ ଦେଇ ପାରୁନାହାନ୍ତି ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀ । ସରକାରୀ ବ୍ୟବସ୍ଥାକୁ ଉପହାସ କଲାଭଳି ଏଭଳି ଖବର ଆସିଛି ବାଲେଶ୍ୱର ଜଗନ୍ନାଥପୁର ପଂଚାୟତରୁ । ମାତ୍ର ହଜାରେ ଟଙ୍କା ପାଇଁ ଜଣେ ବୁଢୀ ମା’ ଅସହାୟ ହୋଇପଡିଛି । ପୂର୍ବରୁ ୨୦୨୨ ମେ’ ମାସରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଭତ୍ତା ଟଙ୍କା ପାଇନଥିଲେ । ବାରମ୍ବାର ଅଭିଯୋଗ କରିବା ପରେ ଏକାଥରକେ ୪ମାସକର ଟଙ୍କା ଦେଇ ତାଙ୍କୁ ଚୁପ ରହିବାକୁ ସରପଂଚ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ସରପଂଚଙ୍କଠୁ ନିରାଶ ହେବାପରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅ୍ରଭିଯୋଗ କରିଥିଲେ ବି କୌଣସି ସମାଧାନ ହୋଇନି । ସେପଟେ ଏହି ଘଟଣାକୁ ନେଇ ସେତେବେଳେ ଦାୟିତ୍ୱରେ ଥିବା ବିଡ଼ିଓ କହିଛନ୍ତି ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ବାହାର କରାଯିବ । ଏହା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ମିଳିଛି ପ୍ରତିଶ୍ରୁତି । ବାର୍ଦ୍ଧକ୍ୟ ଭତ୍ତା ପାଇଁ ହୋଇଥିବା ରାଜନୀତିର ତଦନ୍ତ କରନ୍ତୁ ସରକାର । ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ସହିତ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇଛି ।