କନକ ବ୍ୟୁରୋ: ସବୁଠି ପୂଜାର ମାହୋଲ। ଆଉ ଏହାରି ଭିତରେ ନିଜ ନିଜ ରାଜନୀତି କ୍ୟାରିୟର ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜନେତା। ବିଭିନ୍ନ ପୂଜା ମଣ୍ଡପ ବୁଲି ବୁଲି ମା’ଙ୍କ ଦର୍ଶନ କରୁଛନ୍ତି। ଆଉ ଲୋକଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି। ଏହିକ୍ରମରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ପତିଆରା ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା।

Advertisment

କଟକ-ଭୁବନେଶ୍ୱରରେ ଜମୁଛି ଦଶହାର । କଟକରେ ସୁନା ଚାନ୍ଦିର ମେଢ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଭୁବନେଶ୍ୱରରେ ବଡ ବଡ ତୋରଣ ଲୋକଙ୍କ ମନମୋହୁଛି । ଆଉ ଏହି  ଖୁସିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିରୋଧୀ ଦଳ  ନେତା ନବୀନ ପଟ୍ଟନାୟକ ।

ମହାଷ୍ଟମୀ ଅବସରରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ସପରିବାର ମଣ୍ଡପରୁ ମଣ୍ଡପ ବୁଲି ମା'ଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କୁ ଭେଟି ସୁବିଧା ଅସୁବିଧା ବୁଝିଛନ୍ତି । ପ୍ରଥମେ ପୁରଣା ଭୁବନେଶ୍ୱରର ପାଟଣା ସାହିରେ ମାଆଙ୍କ ଦର୍ଶନ କରିଥିଲେ ମୋହନ ମାଝୀ । ପରେ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ, ଲକ୍ଷ୍ମୀସାଗର ଓ ଷ୍ଟେସନବଜାର ପୂଜା ମଣ୍ଡପ ବୁଲିଥିଲେ ଓ ଓଡିଶାବାସୀଙ୍କ ବିକାଶ କାମନା କରିଥିଲେ। 

ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି । ସେ ଦଳୀୟକର୍ମୀଙ୍କ ସହ ରସୁଲଗଡ, ସହିଦନଗର ଓ ବଡଗଡ ପୂଜାମଣ୍ଡପ ବୁଲି ଦେଖିଥିଲେ । ଲୋକଙ୍କ ସହ ଓ ବିଭିନ୍ନ ପୂଜାମଣ୍ଡପର ସଦସ୍ୟଙ୍କ ସହ ବି ଆଲୋଚନା କରିଥିଲେ । ପୂର୍ବରୁ ଗଣେଶ ପୂଜାରେ ବିଭିନ୍ନ ମଣ୍ଡପ ବୁଲିଥିଲେ ନବୀନ । ଦୀର୍ଘବର୍ଷ ପରେ ଏବେ ପୁଣି ମହାଷ୍ଟମୀରେ ପୂଜାମଣ୍ଡପ ବୁଲି ଜଗତଜନନୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ନବୀନ ପଟ୍ଟନାୟକ। 

ଉଭୟ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ରାଜଧାନୀରେ ଦଶହରା ବୁଲି ପତିଆରା ପ୍ରଦର୍ଶନ କରିଛନ୍ତି । ଆଉ ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ଚାହିଁଛନ୍ତି । ଶନିବାର ନବମୀରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିବେ। ସେହିପରି ବିଜୟାଦଶମୀରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।