କନକ ବ୍ୟୁରୋ: ପଡ଼ିଆ ପଡ଼ିଛି ପୋଖରୀ । ପଡ଼ିଆରେ ଗାଇଗୋରୁ ଚରୁଛନ୍ତି । ପୋଖରୀର ଚିହ୍ନବର୍ଣ୍ଣ ନାହିଁ । କିନ୍ତୁ ପୋଖରୀ ପୁନଃରୁଦ୍ଧାର ସରିଥିବା ମିଛ ତଥ୍ୟ ଦେଇ, ୫ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜାମ୍ବଣୀ ପଞ୍ଚାୟତରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ସରକାରଙ୍କୁ ଚୂନ ମାରି ସରକାରୀ ବାବୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ଲୋକେ ।

Advertisment

ଜାମ୍ବଣୀ ପଞ୍ଚାୟତର ସୁଡସୁଡିଆ ଗାଁ ବଇବଣ ପୋଖରୀ । ୨୦୨୧ରେ ପୋଖରୀ ପୁନରୁଦ୍ଧାର ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । କାମ ଆରମ୍ଭ ହୋଇଥିବା ସରକାରୀ ରେକର୍ଡରେ ଦର୍ଶାଗଲା । କିନ୍ତୁ ବାସ୍ତବରେ ପୋଖରୀରୁ ମାଟି ମୁଠାଏ କଢା ହୋଇନି । ଯୁଆଡ଼େ ଦେଖିବ ଖାଲି ଘାସ-ବଣ ଆଉ ଜଙ୍ଗଲ । ସେଇ ଘାସ ଭିତରେ ଲୁଚି ଯାଇଛି ୫ଲକ୍ଷ ପୋଖରୀ ? ପଡ଼ିଆରେ ଗାଈଗୋରୁ ଚରୁଛନ୍ତି । ଏପରିକି ୫ ବର୍ଷ ଧରି ଏଠି ପୋଖରୀ ଦେଖିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜାମ୍ବଣୀ ପଞ୍ଚାୟତରୁ ଆସିଛି ଏପରି ସାଂଘାତିକ ଅଭିଯୋଗ ।

ସେପଟେ ପୋଖରୀ ପୁନଃରୁଦ୍ଧାର ପାଇଁ ଆସିଥିବା ଅନୁଦାନ ଉଠି ସାରିଥିବା ଜଣାପଡ଼ିଛି । ସରକାରଙ୍କୁ ଭକୁଆ ବନାଇ ଠିକାଦାର ଟଙ୍କା ଉଠାଇ ନେଇଥିବା ଜାଣି ସରପଞ୍ଚ ଓ ବିଡିଓଙ୍କୁ ପଚାରିଛନ୍ତି ସ୍ଥାନୀୟ ଲୋକ । କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ସେମାନେ ସିଧାସଳଖ ମନା କରି ଦେଇଛନ୍ତି । ଯାହା ଘଟଣାକୁ ଆହୁରି ସନ୍ଦିୟାନ କରିଛି । ଏଥିରେ ସରକାରୀ ବାବୁଙ୍କ ସଂପୃକ୍ତି ନେଇ ସନ୍ଦେହ ବଢୁଛି ! ବିନା ଯାଞ୍ଚରେ, ସ୍ଥିତିର ଅନୁଧ୍ୟାନ ନକରି କିପରି ଭୁଲ କାଗଜପତ୍ରରେ ଦସ୍ତଖତ ମାରି ଏତେ ବଡ଼ ର୍ଦୁନୀତିକୁ ପ୍ରସୟ ଦିଆଗଲା ତାକୁ ନେଇ ବଡ ପ୍ରଶ୍ନ ଉଠିଛି ।