କନକ ବ୍ୟୁରୋ : ବିଷ ବଳୟରେ ବ୍ରହ୍ମପୁର, ସହର ସାରା ପଲିଥିନର ପାହାଡ଼ । କେଉଁଠୁ ଆସୁଛି ଏତେ ପରିମାଣର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ , କାହା ପାଖେ ନାହିଁ ଉତ୍ତର । ଲୋକେ ବି ସଚେତନ ହେବା ପରିବର୍ତ୍ତେ ପଲିଥିନ୍ ବ୍ୟବହାର କରିଚାଲିଛନ୍ତି । ଯାହା ଖାଲି ପରିବେଶ ପ୍ରଦୂଷିତ କରୁନି ବରଂ ସାଧାରଣ ଜୀବନଶୈଳୀକୁ ବି ପ୍ରଭାବିତ କରୁଛି । ସକାଳ ଜଳଖିଆ ହେଉ କି ପନିପରିବା, ସଉଦା ଠୁ ନେଇ ଫୁଲ ଦୋକାନ ଯାଏଁ , ଯାହା କିଣିଲେ ଦରକାର ପଡୁଛି ପଲିଥିନ୍ । ଆଉ ପଲିଥିନ୍ ବ୍ୟବହାର ପରେ ତାର ଅସଲ ସ୍ଥିତି କିଛି ଅଲଗା । ରାସ୍ତାଘାଟ, ନାଳ ନର୍ଦ୍ଦମା, ସହର ସାରା ଯୁଆଡ଼େ ଚାହିଁବ ପଲିଥିନର ପାହାଡ଼ । ପ୍ରତିଦିନ ସଫେଇ ହେଉଛି, ତଥାପି ପରଦିନକୁ ଗଦା ହୋଇଯାଉଛି କୁଢ଼ କୁଢ଼ ଅଦରକାରୀ ପ୍ଲାଷ୍ଟିକ୍ ସାମଗ୍ରୀ ।
୨୦୧୬ ସେପ୍ଟେମ୍ବରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପଲିଥିନ ବ୍ୟାନ୍ ନେଇ କାଉନସିଲ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା । ପରେ ୨୦୧୭ ପହିଲାରୁ ସାରା ଗଞ୍ଜାମ ଜିଲ୍ଲାରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଇଥିଲା ପ୍ରଶାସନ । ହେଲେ ଅଧିକାରୀ ବଦଳିବା ପରେ ନିୟମ ବଦଳିବା ଭଳି, କେହି ଆଉ ଏଥିପ୍ରତି ନଜର ଦେଉନାହାନ୍ତି । ମଝିରେ ମଝିରେ ଚଢ଼ାଉ ହେଉଥିଲେ ବି ଫଳ ଶୂନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/13/polythene-2025-10-13-19-46-08.jpg)