କନକବ୍ୟୁରୋ : ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଛି । ରାସ୍ତା ଚଉଡ଼ା ହେଉଛି, ପରିବେଶ ପ୍ରଦୂଷିତ ହେଉଛି । କାରଣ ରାସ୍ତା କାମରେ ବ୍ୟବହାର କରାଯାଉଛି ଜିପସମ୍ । ଜିପସମ୍ ଧୂଳିରେ ହନ୍ତସନ୍ତ ଜନଜୀବନ। ଭୂତମୁଣ୍ଡାଇ ଠାରୁ ପାରାଦୀପ ରାସ୍ତା ସମ୍ପ୍ରସାରଣ ହେଉଛି ।
ସେହି କାମରେ ଠିକାଦାର ଜିପ୍ସମ୍କୁ ବ୍ୟବହାର କରୁଛନ୍ତି । ଫଳରେ ସେହି ବାଟରେ ଯିବାଆସିବା କରିବା କଷ୍ଟକର ହୋଇପଡ଼ିଛି । ଭୂତମୁଣ୍ଡାଇ ରାସ୍ତାରେ ଥରେ ଗଲେ ପୋଷାକ ଓ ଶରୀର ରଙ୍ଗ ବଦଳି ଯାଉଛି । ରାସ୍ତାକଡ଼ରେ ଥିବା ଗଛପତ୍ର ସବୁଜ ବଦଳରେ ଧଳା ଦେଖାଯାଉଛି । ରାସ୍ତା ସଂପ୍ରସାରଣରେ ବ୍ୟବହୃତ ଜିପ୍ସମ୍ ଗୁଣ୍ଡ ପାରାଦୀପର ପ୍ରଦୂଷଣ ମାତ୍ରାକୁ ଦ୍ବିଗୁଣିତ କରି ଦେଇଥିବା ଅଭିଯୋଗ ହୋଇଛି ।
ଜିପସମ୍ ଗୁଣ୍ଡ ଲୋକଙ୍କ ଦେହରେ ଲାଗିଲେ ହାତ ଗୋଡ଼ କୁଣ୍ଡାଇ ହେଉଛି। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ତେଣୁ ଏଥିରେ ବ୍ରେକ୍ ନଲାଗିଲେ ପାରାଦୀପରେ ମାନବ ସମାଜ ବଞ୍ଚିବା କଷ୍ଟକର ହୋଇ ପଡ଼ିବା ନେଇ ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ।
ପୂର୍ବରୁ ବାଲି, ମାଟି, ଗୋଡ଼ି, ସିମେଣ୍ଟରେ ମଜଭୁତ ରାସ୍ତା ନିର୍ମାଣ ହେଉଥିଲା। ଏବେ ଜିପସମ୍ ବ୍ୟବହାର କରାଯାଉଛି। କେତେ ପରିମାଣରେ ବ୍ୟବହାର କରାଯିବ? ଜିପ୍ସମ୍ ବ୍ୟାବହାରିକ ପ୍ରକ୍ରିୟା କ’ଣ? ତା’ ଉପରେ କାହାରି ନିଘା ନାହିଁ ।
ଫଳରେ ଜିପ୍ସମ୍ ପ୍ରଭାବରେ ପାଣି, ମାଟି ଓ ପବନ ପ୍ରଦୂଷିତ ହେଉଛି । ପାରାଦୀପର ଜୀବନରେଖା ତାଳଦଣ୍ଡା କେନାଲ ବି ପ୍ରଭାବିତ। ପାରାଦୀପ ବନ୍ଦର ସମେତ ଇଫ୍କୋ, ପିପିଏଲ୍ ଭଳି ଶିଳ୍ପାନୁଷ୍ଠାନ ତାଳଦଣ୍ଡା ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରନ୍ତି। ଏବେ ଜିପ୍ସମ୍ ଗୁଣ୍ଡ ମିଶିବାରୁ କେନାଲ ପାଣି ପିଇବା ଅନୁପଯୋଗୀ ବୋଲି କହିଛନ୍ତି ପାରାଦୀପବାସୀ ।
ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ରାସ୍ତା କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। କେବଳ ଏଇ ରାସ୍ତା ନୁହେଁ, ଅନେକ ଆଧୁନିକୀକରଣ କାମ ଚାଲିଛି । ଚାକଚକ୍ୟ ଜୀବନ ପାଇଁ ନଷ୍ଟ ହେଉଛି ପରିବେଶ। ପ୍ରଭାବିତ ହେଉଛି ଜୀବନଜୀବିକା । ତେଣୁ ଏବେଠୁ ସତର୍କ ହୋଇ ଆସନ୍ତାକାଲି ପାଇଁ ଉଦ୍ୟମ କରିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/29/21-2025-08-29-08-55-46.jpg)