କନକ ବ୍ୟୁରୋ : ପ୍ଲାଷ୍ଟର ଅଫ୍ ପ୍ୟାରିସରେ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ପଷ୍ଟ ଗାଇଡଲାଇନ୍ ରହିଛି । ଅଥଚ ଗଣେଶ ପୂଜା ସମୟରେ ବେଧଡ଼କ ବିକ୍ରି ହୋଇଛି ପ୍ଲାଷ୍ଟର ଅଫ୍ ପ୍ୟାରିସରେ ତିଆରି ମୂର୍ତ୍ତି । ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥିବାରୁ ଏହାକୁ ଅତି ଆଗ୍ରହରେ କିଣି ନେଇଛନ୍ତି ଗ୍ରାହକ । ଏଥିରୁ ସ୍ପଷ୍ଟ ହେଉଛି, କିଭଳି ନିର୍ଦ୍ଦେଶନାମାରେ ସୀମିତ ରହିଛି ପ୍ରଦୂଷଣ ବୋର୍ଡର କାର୍ଯ୍ୟାନୁଷ୍ଠାନ । ଗତ ଦୁଇବର୍ଷରେ ପ୍ରଦୂଷଣକୁ ନେଇ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଉପରେ ଟଙ୍କାଟିଏ ଫାଇନ୍ ଲଗାଇ ନାହିଁ । ଏ କଥାକୁ ନିଜେ ମାନିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ।
ଗଣେଶ ପୂଜାରୁ ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ପ୍ରଦୂଷଣମୁକ୍ତ ପୂଜା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୂଜା କମିଟି ପାଇଁ ଜାରି କରିଥିବା ନିୟମାବଳୀ ଉପରେ ନଜର ପକାନ୍ତୁ ।
ପ୍ରଦୂଷଣ ରୋକିବାକୁ ନିର୍ଦ୍ଦେଶନାମା
ପୋଡ଼ାମାଟି କିମ୍ବା ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ମୂର୍ତ୍ତି ହୋଇପାରିବ ନାହିଁ
ବିଷାକ୍ତ ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର ହେବ
ମୂର୍ତ୍ତିର ଉଚ୍ଚତା ୨୦ ଫୁଟ୍ ଏବଂ ମଣ୍ଡପ ଉଚ୍ଚତାକୁ ୪୦ ଫୁଟ୍ରେ ସୀମିତ ରଖାଯିବ
ପୂଜା ପରେ ଜିଲ୍ଲା ପ୍ରଶାସନ ଦ୍ବାରା ଚିହ୍ନିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ
ମେଢ଼ରେ ଲାଗିଥିବା ଫୁଲ ଓ ଅନ୍ୟ ସାଜସଜ୍ଜା ସାମଗ୍ରୀ ବିସର୍ଜନ ସ୍ଥଳରେ ଫୋପଡ଼ାଯିବନି
ପୂଜା ମଣ୍ଡପ ସାଜସଜ୍ଜାରେ ପ୍ଲାଷ୍ଟିକ୍ କିମ୍ବା ଥର୍ମୋକୁଲ୍ରେ ତିଆରି ଜିନିଷ ଲାଗିବନି
ବ୍ୟବହୃତ ପୂଜା ସାମଗ୍ରୀକୁ ଜରିରେ ବାନ୍ଧି ନଦୀ, ପୋଖରୀରେ ଫିଙ୍ଗିବା ବାରଣ
କେବଳ କାଗଜ କଲମରେ ରହିଯାଉଛି ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶନାମା। ଠିକ ସମୟରେ ଯାଞ୍ଚ ହେଉଛି ନା ନାହିଁ, ନିର୍ଦ୍ଦେଶନାମା କେତେଦୂର ପାଳନ ହେଉଛି ତାର ହିସାବ ରଖୁନି ସଂସ୍ଥା। ଯାହା ପରିବେଶ ପ୍ରତି ସଂକଟ ଆଣିଦେଉଛି ।