କନକ ବ୍ୟୁରୋ : ରାଜାରାଜୁଡ଼ା ଅମଳ ପୋଖରୀ । ଏହି ପାଣିରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ତୁଲାଇଥିଲେ । ହେଲେ ଏବେ ବଦଳି ଯାଇଛି ସମ୍ପୂର୍ଣ୍ଣ ସ୍ଥିତି । ପାଣି ଦୂଷିତ ଓ ପୋଖରୀ ଆବର୍ଜନାମୟ । ଏବେର ସ୍ଥିତି ଦେଖି ସାଧାରଣ ଲୋକେ ପ୍ରଶ୍ନ କଲେଣି, ବାରିପଦା ତିନିକଣିଆ ପୋଖରୀର ପୁନରୁଦ୍ଧାର କେବେ ?
ତିନିକୋଣିଆ ପୋଖରୀର ପୁରୁଣା ସ୍ଥିତି ଫେରାଇ ଆଣିବା ପାଇଁ ୨୦୧୯ ପରେ ପୁଣି ୨୦୨୫ରେ ଫଳକ ଲାଗିଲା, ହେଲେ ବଦଳି ନାହିଁ ଚିତ୍ର । ଦଳରେ ପରିପୂର୍ଣ୍ଣ । ଚାରିପାଖ ମଧ୍ୟ ଭାଙ୍ଗିରୁଜି ଗଲାଣି । ଦୁର୍ଗନ୍ଧମୟ ପରିବେଶ । ଯେଉଁ ପୋଖରୀ ଦିନେ ଲୋକଙ୍କ କାମରେ ଲାଗୁଥିଲା ଏବେ ସେହି ପୋଖରୀର ଏଭଳି ଅବସ୍ଥା ନେଇ ଅସନ୍ତୋଷ ବଢୁଛି । ଏଭଳି ସ୍ଥଳେ ଆଗକୁ ପରିସ୍ଥିତିରେ ପରିବର୍ତ୍ତନ ନ ଆସିଲେ ଅଞ୍ଚଳବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।
୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପୋଖରୀର ଉନ୍ନତୀକରଣ ପାଇଁ ବହୁ ବର୍ଷ ତଳରୁ ସ୍ଥିର ହୋଇଥିଲା । କାମ ଦାୟିତ୍ୱ ନେଇଥିଲା ବାରିପଦା ପୌରପାଳିକା । ହେଲେ ତାହା ହେଲାନାହିଁ। କାହିଁକି ହେଲାନାହିଁ ? ଏହା ପଛର କାରଣ କ’ଣ ? ଏଇ ପ୍ରଶ୍ନର ଉତ୍ତରରେ ପୌରପାଳିକା ମୁଖ୍ୟ କହିଛନ୍ତି, ବିଳମ୍ବ ହୋଇଛି, ସମୀକ୍ଷା କରି ଫେବ୍ରୁଆରି ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବହୁ ପୁରାତନ ପୋଖରୀର ପୁନରୁଦ୍ଧାର ଜରୁରୀ । ବାରିପଦା ପୌରପାଳିକା ମଧ୍ୟ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ।