କନକ ବ୍ୟୁରୋ: ଓଡ଼ିଶାରେ ଜଳ ସଙ୍କଟ ଭିତରେ ଏବେ ଦୂଷିତ ପାଣି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଓଡ଼ିଶାର ଅନେକ ଜିଲ୍ଲାର ଲୋକ ଏବେ ବି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ । ବିଧାନସଭାରେ ଏନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି ରଖିଛନ୍ତି।
- ଦୂଷିତ ପାଣି ପିଉଛି ଓଡ଼ିଶାର ଅନେକ ଜିଲ୍ଲା
- ଅଧାରେ ଅଟକିଛି ଅନେକ ପାନୀୟ ଜଳ ପ୍ରକଳ୍ପ
- ପୂର୍ବ ସରକାର ଓ କାପର୍ଟଦାରଙ୍କୁ ଦାୟୀ କଲେ ମନ୍ତ୍ରୀ
ତେବେ ଏଭଳି ସ୍ଥିତି ପାଇଁ ପୂର୍ବ ସରକାରର ଦୂରଦୃଷ୍ଟିର ଅଭାବକୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ। ବାହାର ରାଜ୍ୟର ବ୍ୟକ୍ତି ବାଣ୍ଟିଥିବା ଅନେକ ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିଥିବା ବେଳେ କେନ୍ଦ୍ରର ଜଳ ସମ୍ପଦ ଯୋଜନାକୁ ପୂର୍ବ ସରକାର କାର୍ଯ୍ୟକାରୀ କରିବାକୁ ଚାହୁଁନଥିଲେ ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡାଇଛନ୍ତି ବିଭାଗୀୟ ମନ୍ତ୍ରୀ।
- ଠିକ୍ ସମୟରେ ସର୍ଭେ, ଡିପିଆର ନହେବାରୁ ପ୍ରକଳ୍ପରେ ହୋଇଛି ବିଳମ୍ବ
- ଯେତେ ଚେଷ୍ଟା କଲେ ବି ୨୦୨୬ ସୁଦ୍ଧା ସରିବନି କିଛି ପାନୀୟ ଜଳ ପ୍ରକଳ୍ପ
ଗୃହରେ ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ନେଇ କଡା ଜବାବ ରଖିଛି ବିଜେଡି। ଅନ୍ୟପଟେ ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ବ ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବାଚସ୍ପତି।
ତେବେ କେବଳ ଦୂଷିତ ପାଣି ନୁହେଁ ଲୁଣି ପାଣି ମଧ୍ୟ ଓଡ଼ିଶାର ଅନେକ ଅଞ୍ଚଳକୁ କଲବଲ କଲାଣି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଏ ପ୍ରସଙ୍ଗ ଉଠାଇବା ପରେ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ସମୁଦ୍ର ଲୁଣି ପାଣିକୁ ପାନୀୟ ଜଳରେ ପରିବର୍ତ୍ତନ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶାସକ-ବିରୋଧୀଙ୍କ ତୁ ତୁ ମେଁ ମେଁ ଭିତରେ ସାଧାରଣ ଲୋକଙ୍କୁ କେବେ ବିଶୁଦ୍ଧ ପାନୀୟ ଜଳ ମିଳିବ ତାହା ସବୁଠୁ ବଡ ପ୍ରଶ୍ନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/OX0fhOKjLvCITUHUxeiO.jpg)