କନକ ବ୍ୟୁରୋ : ମହାରାଷ୍ଟ୍ରର ସୋଲାପୁରରେ ଏମିତି ଏକ ଘଟଣା ଘଟିଛି ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଜଣେ ମହିଳା IPS ଅଧିକାରୀ ଫୋନରେ କହିଲେ ମୁଁ ଆପଣଙ୍କୁ ଚିହ୍ନେନି । ଏହା ପରେ ପଞ୍ଚମ ଥର ପାଇଁ ରାଜ୍ୟର ଡେପୁଟି ସିଏମ୍ ହୋଇଥିବା ଅଜିତ ପାୱାର କ୍ରୋଧିତ ହୋଇ ପଡ଼ିଥିଲେ । ସେ ଅଧିକାରୀଙ୍କୁ ଭିଡିଓ କଲ କରି କହିଥିଲେ ଯେ, ମୁଁ ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି, ତୁମର ଏତେ ସାହସ ? ମୋତେ ଚିହ୍ନିନ ବୋଲି କହିଲ ।
ବାସ୍ତବରେ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସୋଲାପୁରରେ ଡିଏସପି ଭାବରେ ନିୟୋଜିତ ଅଞ୍ଜନା କୃଷ୍ଣା ବେଆଇନ ଖନନ ବନ୍ଦ କରିବାକୁ ପହଞ୍ଚିଥିଲେ । କୃଷ୍ଣା ମାଢା ତାଲୁକାର କୁର୍ଡୁ ଗାଁରେ ରାସ୍ତା ନିର୍ମାଣ ପାଇଁ ବେଆଇନ ମୋରମ ଖନନ ହେଉଥିବା ଅଭିଯୋଗ ପାଇଥିଲେ ଅଞ୍ଜନା । ଏହା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡିଏସପି ଅଞ୍ଜନା କୃଷ୍ଣାଙ୍କର ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା NCPର କାର୍ଯ୍ୟକର୍ତ୍ତା ବାବା ଜଗତାପ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଫୋନ୍ କରି ଡିଏସପି ଅଞ୍ଜନା କୃଷ୍ଣାଙ୍କୁ ଦେଇଥିଲେ । ଫୋନରେ ଅଜିତ ପାୱାର ନିଜକୁ 'ଡିସିଏମ୍ ଅଜିତ ପାୱାର' କହି କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଧିକାରୀ ତାଙ୍କୁ ଚିହ୍ନିବାକୁ ମନା କରି ଦେଇଥିଲେ ଏବଂ କହିଥିଲେ ଯେ ସେ ସିଧାସଳଖ ତାଙ୍କ ଫୋନ୍କୁ କଲ୍ କରନ୍ତୁ ।
ଏହା ପରେ ଅଜିତ ପାୱାର କ୍ରୋଧିତ ହୋଇ କହିଥିଲେ ଯେ ମୁଁ ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି, ତୁମର ଏତେ ସାହସ ? ମୋତେ ଚିହ୍ନିନ ବୋଲି କହିଲ , ମୋ ମୁହଁ ତ ଚିହ୍ନିବ ନା ! ଏହା ପରେ ଅଜିତ ପାୱାର ସିଧାସଳଖ ଭିଡିଓ କଲ କରିଥିଲେ । ଭିଡିଓ କଲ ସମୟରେ ଅଜିତ ପାୱାର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଏବଂ ତହସିଲଦାରଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ଏବଂ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଗ୍ରାମବାସୀଙ୍କ କହିବା କଥା ଥିଲା ଯେ ଖନନ ଗ୍ରାମ ପଞ୍ଚାୟତର ଅନୁମତିରେ ହେଉଥିଲା, କିନ୍ତୁ କୌଣସି ଅଫିସିଆଲ୍ ଡକ୍ୟୁମେଣ୍ଟ୍ ଉପସ୍ଥାପନ କରାଯାଇ ପାରିନଥିଲା । ଏପରି ପରିସ୍ଥିତିରେ ମହିଳା IPS ଅଧିକାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।
ଅଞ୍ଜନା କୃଷ୍ଣା କିଏ?
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ନିୟୋଜିତ IPS ଅଞ୍ଜନା କୃଷ୍ଣା ବର୍ତ୍ତମାନ ଡିଏସପି କର୍ମଲା ଅଟନ୍ତି । ଅଞ୍ଜନା ୨୦୨୩ ବ୍ୟାଚର IPS ଅଧିକାରୀ , ସେ କେରଳର ତିରୁଅନନ୍ତପୁରମର ବାସିନ୍ଦା । ତାଙ୍କ ବାପା ସେଠାରେ ଏକ ଛୋଟ ଲୁଗା ଦୋକାନ ଚଳାନ୍ତି ଏବଂ ତାଙ୍କ ମା' କୋର୍ଟରେ ଟାଇପିଷ୍ଟ ଭାବରେ ଚାକିରି କରିଛନ୍ତି । ସେ ସେଣ୍ଟ ମେରିଜ୍ ସେଣ୍ଟ୍ରାଲ ସ୍କୁଲ, ପୂଜାପୁରାରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଏବଂ ଏଚ୍ଏଚ୍ଏମ୍ଏସପିବି ଏନଏସଏସ କଲେଜ ଫର୍ ଓମେନ, ନୀରମଙ୍କରାରୁ ବିଏସସି ଗଣିତରେ ସ୍ନାତକ ହାସଲ କରିଥିଲେ । ୟୁପିଏସସି ସିଭିଲ୍ ସେବା ୨୦୨୨ରେ ଏଆଇଆର-୩୫୫ ରାଙ୍କ ହାସଲ କରିଥିଲେ । ଅଞ୍ଜନା ତାଙ୍କର ସାଧୁତା, ଦୃଢ଼ ସଂକଳ୍ପ ଏବଂ ଉତ୍ତମ ପ୍ରଶାସନିକ କୌଶଳ ପାଇଁ ବେଶ୍ ଜଣାଶୁଣା ।