କନକ ବ୍ୟୁରୋ: କ୍ରମାଗତ ୨୪ ବର୍ଷ ଧରି ସରକାରରେ ରହିଲା ବିଜେଡି । ହେଲେ ଓବିସି ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ନ୍ୟାୟ ଦେଇପାରିଲେନି । ଏବେ ସରକାରରୁ ଗଲା ପରେ ଦେଖାଉଛନ୍ତି ଦରଦ । ମୋହନ ମାଝୀଙ୍କ ସରକାର ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେବା ପରେ ଚିହିଙ୍କି ଉଠିଛି ବିଜେଡି ।
୨୪ ବର୍ଷ ଧରି ରାଜ୍ୟର ଶାସନ ଡୋରି ବିଜେଡି ପାଖରେ ରହିଲା । ଜାତି କାର୍ଡ ଖେଳି ଅନେକ ନର୍ବାଚନୀ ବୈତରଣୀ ପାର ହେଲା । ଏପରିକି ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓବିସି ଗଣନା କରାଗଲା, ହେଲେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ନ୍ୟାୟ ଦେଇପାରିଲାନି । ଏବେ ମୋହନ ସରକାର ଶିକ୍ଷାନୁଷ୍ଠାନରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି , କିନ୍ତୁ ମୋହନ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଚିହିଙ୍କି ଉଠିଛି ବିଜେଡି । ଦଳର ଜଣେ ପରେ ଜଣେ ନେତା ଗଣମାଧ୍ୟମ ସାମ୍ନାକୁ ଆସି ବିଜେପି ସରକାର ଉପରେ ବର୍ଷୁଛନ୍ତି । କହିଛନ୍ତି, ୧୧.୨୫ ପ୍ରତିଶତ ନୁହେଁ, ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ । ନଚେତ ଆସନ୍ତା ୨୧ ତାରିଖରେ ରାଜଭବନ ସମ୍ମୁଖରେ ବିଶାଳ ସମାବେଶ କରିବ ଦଳ ।
ଓବିସି ସରଂକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ବିଜେଡିର ଫାଟ କିନ୍ତୁ ଜଳ ଜଳ ଦିଶୁଛି । ଶଙ୍ଖ ଭବନରେ ଦଳ ବରିଷ୍ଠ ନେତା ଅରୁଣ ସାହୁ, ପ୍ରତାପ ଜେନା, ସଂଜୟ ଦାସବର୍ମା ଓ ପ୍ରଦୀପ ମାଝୀ ଏକାଠି ହୋଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି । ହେଲେ ତାର କିଛି ଘଣ୍ଟା ପୂର୍ବରୁ ନିଜର ସରକାରୀ ବାସଭବନରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେହି ଓବିସି ସଂକ୍ରାନ୍ତରେ ପ୍ରେସ୍ ମିଟ୍ କରି ସରକାରଙ୍କୁ ଘେରିଥିଲେ , ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଓବିସିଙ୍କୁ ନେଇ ଅତୀତରେ ଅନେକ ରାଜନୀତି ହୋଇଛି । ତେଣୁ ପ୍ରଶ୍ନ ଉଠୁଛି ଏଥର ଏହି ବର୍ଗଙ୍କୁ ନ୍ୟାୟ ମିଳିବ ତ?