କନକ ବ୍ୟୁରୋ: ସରକାର ବଦଳିଲା, ହେଲେ ଢାଞ୍ଚା ବଦଳିଲାନି। ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ ପ୍ରକାଶ ମିଶ୍ର କହିଛନ୍ତି, ଲୋକଙ୍କ ସମସ୍ୟା କିଭଳି ଦୂର ହେବ ସେ ଦିଗରେ କାମ କରିବେ।
୧୯୭୭ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ପ୍ରକାଶ ମିଶ୍ର। ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ୍ ଡିଜି ଥିଲେ। ପରେ ସେ କେନ୍ଦ୍ରକୁ ଯାଇ ସିଆରପିଏଫର ଡିଜି ହୋଇଥିଲେ। ଏହି ପଦରେ ସେ ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରହିଥିଲେ। ତା’ପରେ ଚାକିରିରୁ ଅବସର ନେଇଥିଲେ। ଚାକିରିରୁ ଅବସର ନେବା ପରେ ପ୍ରକାଶ ମିଶ୍ର ବିଜେପିରେ ଯୋଗଦେଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ନିର୍ବାଚନରେ ହାରିଯାଇଥିଲେ । କିଛି ଦିନ ତଳେ ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ୍ ଖାକି’ ଓଡ଼ିଶାରେ ରିଲିଜ୍ ହୋଇଥିଲା। ଏଥିରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ଅନେକ କଥା ଲେଖିଛନ୍ତି, ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ସେହିଭଳି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢ଼ୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୭ରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ସରକାର ରାଜ୍ୟର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି । ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ମଧୁସୂଦନ ପାଢୀ ବିଭିନ୍ନ ପଦବୀରେ ଓଡ଼ିଶା ସରକାରଙ୍କ ପାଇଁ କାର୍ଯ୍ୟ କରିସାରିଛନ୍ତି। ସେ ପରିବହନ କମିଶନର, ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ସଚିବ ଭାବରେ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଥିଲେ। ଓମଫେଡ୍ର ପରିଚାଳନା ନିର୍ଦ୍ଦେଶକ, ଖାଦ୍ୟ ଯୋଗାଣ ବିଭାଗର ମୁଖ୍ୟ ସଚିବ ଭାବେ ବି କାର୍ଯ୍ୟ କରିଥିଲେ ମଧୁସୂଦନ ପାଢୀ।