କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ୮୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତା'ଠାରୁ ଅଧିକ ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫୦୦ ଟଙ୍କା କରିଛନ୍ତି ବିଜେପି ସରକାର। କେନ୍ଦ୍ରୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କିଛି ହିତାଧିକାରୀଙ୍କୁ ଚେକ୍‌ ପ୍ରଦାନ କରି ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କରିଛନ୍ତି। ଏଥିସହ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୩ ତାରିଖ ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତିରେ ମୋହର ମାରିଥିଲା। ୪ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଲାଭବାନ ହେବେ। 

Advertisment
  • ସାମାଜିକ ସୁରକ୍ଷା ଭତ୍ତା ହେଲା ୩,୫୦୦
  • କେନ୍ଦୁଝରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

ଯଦିଓ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି ବିଜେପି ସରକାର। କିନ୍ତୁ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବା କହି ଘେରିଛନ୍ତି ବିରୋଧୀ। ତେବେ ସାଧାରଣ ନିର୍ବାଚନ ସମୟରେ ବିଜେପି ଜାରି କରିଥିବା ସଂକଳ୍ପ ପତ୍ରରେ  ଲେଖାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩୦୦୦ ଟଙ୍କାର ମାସିକ ପେନସନ ପ୍ରଦାନ କରାଯିବ। ସେହିପରି ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩,୫୦୦ ଟଙ୍କା ପେନସନ୍ ଦେବାକୁ ଏଥିରେ କୁହାଯାଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି କଥା ବଦଳାଇଥିବା କହି ଜୋରଦାର ଆକ୍ରମଣ କରିଛି ବିଜେଡି। 'ଆହେ ସଉଦାଗର ନିଜ ବାକ୍ୟ ନିଜେ ରକ୍ଷାକର' କହି କଟାକ୍ଷ କରିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। 

ସୂଚନାଯୋଗ୍ୟ ଯେ, ମଧୁବାବୁ ପେନସନ୍‌ ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ମଧୁବାବୁ ପେନସନ୍‌ ଯୋଜନାରେ ମୋଟ୍‌  ୩୬ ଲକ୍ଷ ୪୨ ହଜାର ୯୫୭ ହିତାଧିକାରୀ ଅଛନ୍ତି। ସେହିପରି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ୨୦ ଲକ୍ଷ ୩୩ ହଜାର ୯୫୯ ଜଣଙ୍କୁ ପେନସନ୍‌ ଦିଆଯାଉଛି। ଯଦି କେବଳ ମଧୁବାବୁ ପେନସନ୍‌ ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କାର ପେନସନ୍‌ ପାଇଁ ୧୩ ହଜାର କୋଟିରୁ ଅଧିକ ଟଙ୍କା ଆବଶ୍ୟକ। ଚଳିତବର୍ଷ ବଜେଟରେ ସାମାଜିକ ସୁରକ୍ଷା ପାଇଁ ୭ ହଜାର ୭୦୯ କୋଟି ବ୍ୟୟ ବରାଦ କରାଯାଇଛି। ତେଣୁ ଆଗାମୀ ଦୁଇବର୍ଷ ମଧ୍ୟରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ମୁଡରେ ନଥିବା ମନେହେଉଛି। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏଥିପାଇଁ ପଦକ୍ଷେପ ନେଇ ବଡ଼ ମାଷ୍ଟରଷ୍ଟ୍ରୋକ ମାରିପାରନ୍ତି ମୋହନ ସରକାର।