କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମିଶନ ଶକ୍ତି ମହିଳା ପ୍ରସଙ୍ଗ । ବିଧାନସଭା ମୁଲତବୀ ପ୍ରସ୍ତାବରେ ଏହି କଥା ଉଠାଇଥିଲା ବିଜେଡି । ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ଉଦ୍ୟମ ହେଉଛି । ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି ମୁଲତବି ପ୍ରସ୍ତାବ ଆଣିଥିଲା । ଆଉ ଏହା ଉପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ସରକାର ମୁକ ହୋଇ ବସିବା ପୂରା ମିଛ କଥା । ବିଭାଗ ସଚିବ, ରାଜ୍ୟ କମିଶନ ସମସ୍ତେ ପ୍ରତିନିଧି ଦଳକୁ ଭେଟିଛନ୍ତି । ସେମାନେ ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ । ତେବେ ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ କିମ୍ୱା କାହା କଥାରେ ସେମାନେ ବିଭ୍ରାନ୍ତ ହୁଅନ୍ତୁ ନାହିଁ । ସରକାର ପଦକ୍ଷେପ ନେବେ, କାହା କଥାରେ ରାସ୍ତାରେ ଗଡନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

Advertisment

ସେପଟେ ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି, ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ । ଯେଉଁମାନଙ୍କର ୫ ବର୍ଷ ଅବଧି ପୁରିଯାଇଛି । ସେମାନେ ଦରମା ପାଇସାରିଛନ୍ତି, ଆଉ ଯେଉଁ ମାନଙ୍କର ୫ ବର୍ଷ ଅବଧି ପୁରି ନାହିଁ, ସେମାନଙ୍କୁ ଦରମା ଦେବା ପାଇଁ ସରକାର ୪ ନଭେମ୍ବର ୨୦୨୪ରେ ନିର୍ଦ୍ଦେଶ ଦେଇ ସାରିଛନ୍ତି ବୋଲି ସେ କହିଛନ୍ତି । ପୂର୍ବ ସରକାରରେ ମିଶନ ଶକ୍ତି ଫେଲ ମାରିଛି। ହୀନ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବିରୋଧୀ ମାଆ ମାନଙ୍କର ସାମଗ୍ରିକ ବିକାଶ ଚାହୁଁନାହାଁନ୍ତି । ମାଆ ମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବିଜେଡ଼ି । ମହିଳାଙ୍କ ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ପୂର୍ବତନ ସରକାର ହିଁ ଭଣ୍ଡୁର କରିଛନ୍ତି । କମ୍ୟୁନିଟି ଷ୍ଟାଫ ମାନଙ୍କର ଜୀବନ ଜୀବିକା ପ୍ରତି ସରକାର ସଚେତନ ଅଛନ୍ତି ଏବଂ ସେ ଦିଗରେ କାର୍ୟ୍ୟ କରୁଛନ୍ତି ବୋଲି ପ୍ରଭାତୀ କହିଥିଲେ ।

ଖାଲି ସେତିକି ନୁହେଁ, ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି କହିୱା ପରେଟ୍ଟ ପ୍ରଭାତୀ କହିଛନ୍ତି ଯେ, ଯିଏ ଏପରି କହୁଛନ୍ତି ସେ ନିଜେ ମହିଳାଙ୍କୁ ଷଡ଼ଯନ୍ତ୍ର ପାହାଡ ଉପରେ ବସାଇ ଦେଇ ଝୁଲାଇ ଦେଇଛନ୍ତି । ମିଶନ ଶକ୍ତିକୁ ପୋଲିଓ ଶିଶୁ ଭାବେ ପରିଣତ କରିଥିଲା ବିଜେଡ଼ି ସରକାର । ବିଜୁ ଜନତା ଦଳ ମହିଳା ମାନଙ୍କ ବଳ ବୋଲି କହୁଥିଲା । ନିର୍ବଳୁଆ ମହିଳା ମାନଙ୍କୁ ଢାଲ କରିଥିଲେ ବିଜେଡ଼ି ନେତା । ୨୦୧୯ ଏପ୍ରିଲ ୧ ରେ ମିଶନ ଶକ୍ତି ସପୋର୍ଟିଂ ଷ୍ଟାଫ ପାଇଁ ଠିକ୍ ନିର୍ବାଚନ ପୂର୍ବରୁ ୩୪ ହଜାରରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀ ତିଆରି କଲେ । କାଳେ ଏହି ଲୋକ ମାନେ ପୁଣି ଥରେ ପୁନଃ ନିଯୁକ୍ତି ପାଇଯିବେ, ସେଥିପାଇଁ ପ୍ରଥମେ ଦଶମ ଠାରୁ କମ୍ ଯୋଗ୍ୟତା ରଖିଥିବା ବେଳେ ୨୦୨୨ରେ ଯୋଗ୍ୟତାକୁ ଯୁକ୍ତ ଦୁଇ ପାସ କରିଦେଲେ । ପୂର୍ବ ସରକାର ଚାହିଁଥିଲେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଚୁକ୍ତି ନବୀକରଣ କରିପାରିଥାନ୍ତେ ବୋଲି ପ୍ରଭାତୀ କହିଛନ୍ତି ।

ପ୍ରଭାତୀଙ୍କ ଏଭଳି ବୟାନ ପରେ ଅରୁଣ ସାହୁ ମଧ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ସବୁ ଦୋଷ ପୂର୍ବ ସରକାର କହିବା ଟ୍ୟାଗଲାଇନ୍ ସୃଷ୍ଟି କରୁଛନ୍ତି ସରକାର । ଯିଏ ସତ୍ତାକୁ ଆସିବ ତାର ସବୁ ଦାୟିତ୍ଵ । ମହିଳା ଶକ୍ତିକୁ ଯଦି କିଏ ଶକ୍ତି ହୀନ କରିଛି, ତାହା ପୂର୍ବ ସରକାର ବୋଲି ଉପ ମୁଖ୍ୟମନ୍ତ୍ରୀ କହିଲେ । ହେଲେ ଶୀତ କାକରରେ ହଜାର ହଜାର ମାଆ ମାନେ ରାଜରାସ୍ତାରେ ଅଛନ୍ତି । ସେଠାରେ ରାତ୍ରି ବି ଯାପନ କରୁଛନ୍ତି କିନ୍ତୁ ସରକାର ନୀରବ ଦ୍ରଷ୍ଟା । ମହିଳା ମାନେ ପରିବାର ଗୁଜୁରାଣ ମେଣ୍ଟାଇବା ଓ ଭବିଷ୍ୟତ ପାଇଁ ଆସିଛନ୍ତି । କିନ୍ତୁ ଏହାକୁ ଗୁରୁତ୍ୱ ନଦେଇ ଅନେକ ଟିକା ଟିପ୍ପଣୀ ରଖିବା ସରକାର ପାଖରେ ଶୋଭା ପାଉନାହିଁ ବୋଲି ଅରୁଣ ସାହୁ କହିଛନ୍ତି ।

ଏହାସହ ଏମାନେ କଣ ଓଡ଼ିଶାର ମାଆ ନୁହନ୍ତି କି ନା ପାକିସ୍ତାନରୁ ଚାଲି ଆସିଛନ୍ତି ? ମାଆ ମାନଙ୍କୁ ନିଜର କରି ନିଅନ୍ତୁଟ୍ଟ ସରକାର ଆସିବ, ସରକାର ଯିବ । ମାଆ ମାନଙ୍କ ସହ ଛିଡା ହୋଇଛୁ ବୋଲି ଆଗରୁ କହିଥିଲେ, କିନ୍ତୁ ଏବେ କରୁ ନାହାନ୍ତି । ବର୍ତ୍ତମାନ ଯେଉଁ ମାଆ ମାନେ ରାଜରାସ୍ତାରେ ବସିଛନ୍ତି, ତାଙ୍କ କଥା ସନ୍ଧ୍ୟା ସୁଦ୍ଧା ଶୁଣି ନେବାକୁ ଅନୁରୋଧ କରିଛନ୍ତି ଅରୁଣ। ନଚେତ ତାଙ୍କ ଅଭିଶାପ ପଡ଼ିବ ବୋଲି ଗୃହରେ କହିଛନ୍ତି ବିଜେଡି ନୟାଗଡ ବିଧାୟକ ।

ବିଜେଡି ଆଉ ବିଜେପିର ଏହି ଆରୋପ ପ୍ରତ୍ୟାରୋପ ଭିତରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ କହିଛନ୍ତି, ମିଶନ ଶକ୍ତି ମହିଳାଙ୍କୁ ନେଇ ପରସ୍ପରକୁ କେବଳ ଦୋଷାରୋପ କରାଯାଉଛି । କାହାର ଭୁଲ ହୋଇଛି, କିଏ ଭୁଲ କରିଛି, ତା ଉପରେ କେବଳ ଆଲୋଚନା କରାଯାଉଛି । ଭୁଲ ଚକ୍କରରେ ଫଳାଫଳ ଶୂନ । ମିଶନ ଶକ୍ତି ମହିଳା ମାନେ ସଶକ୍ତ ହେବାର ସ୍ଵପ୍ନ ଦେଖିଛନ୍ତି । ସ୍କୁଟି ଋଣ ନେଇଛନ୍ତି । ଏବେ ସ୍କୁଟି ଋଣ କେମିତି ସୁଝିବେ ଚିନ୍ତାରେ ପଡ଼ିଛନ୍ତି । ସ୍କୁଟି ଋଣ ଶୁଝି ପାରୁନାହାନ୍ତି । ଫାଇନାନ୍ସ ସଂସ୍ଥା ମାନେ ସ୍କୁଟି ଋଣ ଶୁଝିବା ପାଇଁ ମହିଳା ମାନଙ୍କ ଉପରେ ଚାପ ପକାଉଛନ୍ତି । ସେମାନେ ଚାରି ଆଡୁ ଚାପରେ ଅଛନ୍ତି । ସେମାନଙ୍କର କଣ ଭୁଲ ଅଛି ? ଆଗ୍ରିମେଣ୍ଟ କଥା କଣ ସେମାନେ ଜାଣି ନାହାନ୍ତି । ସେମାନେ ଏବେ ଭିକ୍ଟିମ ଅଛନ୍ତି । ରାଜରାସ୍ତାରେ ମହିଳା ମାନେ ବସିବା ଅସମ୍ମାନ । ସେମାନେ ଏବେ ଅସହାୟ, ହତାଶ ଓ ଲାଚାର । ମାସକୁ ଯେତିକି ଦରମା ପାଉଥିଲେ, ସେଥିରେ ତାଙ୍କର ଘର ଚଳୁଥିଲା । ସେମାନେ ତିନି ଦିନ ହେଲା ବସିଲେଣି, ହେଲେ ପାଣି ଟୋପେ ବି କେହି ଦେଇ ନାହାନ୍ତି ବୋଲି କହିଛନ୍ତି ସୋଫିଆ ।