କନକ ବ୍ୟୁରୋ : ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଘଟଣା ରାଜନୈତିକ ରୂପ ନେଇସାରିଛି ।  ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏବେ ଘଟଣାରେ ଆଉ ପାଦେ ଆଗକୁ ଯାଇ ୨୪ ତାରିଖରେ ଭୁବନେଶ୍ବର ବନ୍ଦ ଡକରା ଦେଇଛି ବିଜେଡି ।  ସକାଳ ୬ଟାରୁ ଦିନ ୧ଟା ଯାଏଁ ୬ ଘଣ୍ଟା ପାଇଁ ବନ୍ଦ ପାଳନ କରାଯିବ । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ବିଜେପି ଉପରେ ବର୍ଷିଛନ୍ତି । ବିଜେଡି କହିଛି, ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଛି ଓ ଏହି ଘଟଣା ଓଡିଶାର ଛବିକୁ ମଳିନ କରିଛି । ବିଜେପି କାଉଣ୍ଟର କରି ତତକାଳୀନ ସରକାର ଉପରେ ବର୍ଷିଛି ।

Advertisment

ଭରତପୁର ଘଟଣାକୁ ନେଇ ବିଜେଡି-ବିଜେପି କଥାକଟାକଟି ଚାଲିଛି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି । ବିଜେଡି ଭଳି କଂଗ୍ରେସ ବି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ରାଜସ୍ୱମନ୍ତ୍ରୀ କହିଛନ୍ତି, ବିଜେଡି ପାଖରେ ପ୍ରସଙ୍ଗ ନାହିଁ । ଆଇନ ତା ବାଟରେ ଯିବ, କାହାରି ମୁହଁ ଦେଖିବ ନାହିଁ । ଭରତପୁର ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଏବେ ଏହା ଥମିବାର କୌଣସି ସଙ୍କେତ ମିଳୁନାହିଁ । ରାଜ୍ୟ ରାଜନୀତି ଉଠୁଛିପଡୁଛି । ପ୍ରଶ୍ନ ଉଠୁଛି ସମସ୍ୟାର ସମାଧାନ କେବେ ହେବ ।