କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ତେଜିଲା ରାଜନୀତି । ଗତକାଲି ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଲୋଚନା କରିଥିବାବେଳେ, ରବିବାର ଏହି ପ୍ରସଙ୍ଗରେ କଟାକ୍ଷ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ । ପୂର୍ବରୁ ଅନେକ ଥର ଏନେଇ, ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନ ପଟ୍ଟନାୟକ ଉଦ୍ୟମ କରିଛନ୍ତି । ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି । ଏକାଧିକ ଥର ତ୍ରିପାଖିକ ଆଲୋଚନା ହୋଇଛି, ହେଲେ ଛତିଶଗଡ଼ର ଜିଦଖୋର ମନ ଭାବ ପାଇଁ ସମାଧାନ ହୋଇପାରିନି । ତେଣୁ ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ।

Advertisment
mahanadi
mahanadi Photograph: (KanakNews )

ଏହାସହ ବିଜେଡି ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଚା କପରେ ଆଲୋଚନା  ନ କରି ଯଦି ସମାଧାନର ଇଚ୍ଛା ଅଛି, ତେବେ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବାକି ବନ୍ଦ କରନ୍ତୁ । ଅନେକ ବ୍ୟାରେଜ କାମ ସାରି ସାରିଲାଣି, ଅନେକ କାମ ବହୁତ ଆଗକୁ ଗଲାଣି । ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ସେ କହିଛନ୍ତି । ଏହାସହ କେବଳ ଟେବୁଲରେ ଆଲୋଚନା କରି, କାମ ଚାଲୁ ରହିଲେ ଏହାର କୌଣସି ଲାଭ ନାହିଁ । ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ଚାହୁଁଛନ୍ତି, ଘଟଣାର ଆପୋଷ ସାମଧନ ଚାହୁଁଛନ୍ତି ତା’ ହେଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ । ଏମିତି କି  ମାମଲା ଟ୍ରିବ୍ୟୁନାଲରେ ଅଛି, ତେଣୁ ଉଭୟ ସରକାର ଆପୋଷ ସମାଧାନ ପାରିବ କି ନାହିଁ ସେକଥା ଦେଖନ୍ତୁ ।  

bhakta das pcc
bhakta das pcc Photograph: (KanakNews )

ସେପଟେ ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସମୟରେ ଏ ବାବଦରେ କଂଗ୍ରେସ ଆଲୋଚନା କରିଛି । ଏବେ ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ ବିଜେପି ସରକାର, କେନ୍ଦ୍ରରେ ତାଙ୍କ ସରକାର । ତେଣୁ ମହାନଦୀ ବିବାଦ ନେଇ ଟ୍ରିପଲ୍ ଇଞ୍ଜିନ ସରକାର ପଦକ୍ଷେପ ନେବା ଆବଶ୍ୟକ । ଦୁଇ ମୁଖ୍ୟମନ୍ତ୍ରୀ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କଥା କହୁଛନ୍ତି, କିନ୍ତୁ ଫଳପ୍ରଦ ହେବା ପରି ଲାଗୁନି ବୋଲି କହିଛନ୍ତି ଭକ୍ତ ଦାସ ।

ପୃଥ୍ୱୀରାଜ ହରିଚନ୍ଦନ
ପୃଥ୍ୱୀରାଜ ହରିଚନ୍ଦନ Photograph: (KanakNews )

ଏସବୁ ଭିତରେ ବିଜେପି ସରକାରରେ ଆଇନ୍ ମନ୍ତ୍ରୀ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା କଥା, ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ । ଯାହା କରିବା କଥା, ଆମ ସରକାର ହିଁ କରିବେ । ବିଜେଡିର ଆଜି ଯେଉଁଭଳି ଉଚ୍ଚ ସ୍ୱରରେ କହୁଛି,  ସେତେବେଳେ କେଉଁଠି ଥିଲା ବୋଲି ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନୋଟି ସ୍ଥାନରେ ବିଜେପିର ସରକାର । ହେଲେ ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ବିଚାରଧୀନ ଅଛି । ଏହାସତ୍ତ୍ୱେ ବି ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଓଲଟା କଥା କହୁଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ସେତେବେଳେ ସେମାନେ ଅଗ୍ରାହ୍ୟ କରିଥିଲେ । ଛତିଶଗଡ଼ ସରକାରଙ୍କ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିବାକୁ ଆଗ୍ରହ ଦେଖାଇନଥିଲେ । ତେଣୁ ଆଜିର ତାରିଖରେ କାନ୍ଦିବାର ମାନେ କିଛି ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ।