କନକ ବ୍ୟୁରୋ: ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ସେପଟେ ଡ୍ରାଇଭର ଆନ୍ଦୋଳନକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ପରିବହନ ମନ୍ତ୍ରୀ । କହିଛନ୍ତି ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବାକୁ ସରକାର ଗ୍ରହଣ କରିବେ ନାହିଁ।
ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ଓହରିବୁ ବେଲି ଜିଦି ଧରିଛନ୍ତି ଡ୍ରାଇଭର । ସମ୍ୱଲପୁର-ଜୟପୁର-କେନ୍ଦ୍ରାପଡ଼ା-ଯାଜପୁର । ସମେତ ସାରାରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଠପ୍ ହୋଇପଡିଛି ।
ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡ଼ା ହୋଇ ରହିଛି । କେବଳ ଜରୁରୀକାଳୀନ ଓ ଘରୋଇ ଗାଡ଼ିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନାହିଁ । ବସ ଚାଲୁନଥିବାରୁ ଦୂରଦୁରାନ୍ତକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଏପରିକି କିଛି ଯାତ୍ରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସି ଘରକୁ ଫେରି ପାରୁନାହାନ୍ତି । ହେଲପର ମଧ୍ୟ ହିନସ୍ତା ହେଉଛନ୍ତି।
ଏହା ଭିତରେ ଡ୍ରାଇଭର ସଂଘ ଦୁଇଫାଳ ହୋଇଛି। କିଛି ଡ୍ରାଇଭର ଆନ୍ଦୋଳନକୁ ନମାନି ଗାଡି ଚଳାଉଛନ୍ତି। ବଲାଙ୍ଗୀରରେ ଗାଡ଼ି ଚଳାଉଥିବା ଜଣେ ଡ୍ରାଇଭରଙ୍କୁ ମାଡ଼ମାରିଥିବା ଅଭିଯୋଗରେ ୮ଜଣ ଡ୍ରାଇଭରକୁ ପୁଲିସ ଗିରଫ କରିଛି। କିଛି ସ୍ଥାନରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ରାସ୍ତାରେ ଅଟକାଇ ଗୋଲାପ ଫୁଲ ଦେଇ ଆନ୍ଦୋଳନରେ ସାମିଲ ପାଇଁ ଅନୁରୋଧ କରୁଛନ୍ତି ଆନ୍ଦୋଳନକାରୀ। ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ପଛରେ ରାଜନୀତିର ଗନ୍ଧ ବାରିବା ସହ ଆନ୍ଦୋଳନକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ ଦୋକାନ ବଜାର ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି ।