ବୌଦ୍ଧରେ ଗଞ୍ଜେଇ ଚାଷ ଏବେ ଓଡ଼ିଶାର ହଟ୍ ଟପିକ୍ ପାଲଟିଛି । ରାଜନୀତିର ଛୁଙ୍କ ବାଜିବା ପରେ ବାହାରୁଛି ବୌଦ୍ଧ ଗଞ୍ଜେଇର ଗନ୍ଧ । ଲୁଚାଛପାରେ ଚାଲିଥିବା ଗଞ୍ଜେଇ ଚାଷକୁ ନେଇ ଆରମ୍ଭ ହୋଇଛି ଖୁଲମଖୁଲା ରାଜନୀତି । ଗଞ୍ଜେଇ ଚାଷ ବଢୁଥିବାରୁ ଜିଲ୍ଲା ବଦନାମ ହେଉଥିବା କହି ବିଜେପିକୁ କଟାକ୍ଷ ବାଣ ମାରିଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ଅମାତ । ଅନ୍ୟପଟେ ପ୍ରଦୀପଙ୍କୁ କାଉଣ୍ଟର କରି ୨୪ ବର୍ଷର ଇତିହାସ ମନେପକାଇ ଦେଇଛନ୍ତି ବୌଦ୍ଧ ବିଧାୟକ ସରୋଜ ପ୍ରଧାନ । ଜଙ୍ଗଲମନ୍ତ୍ରୀ ଥିବା ବେଳେ ଜଙ୍ଗଲ ସଫା କରି ଗଞ୍ଜେଇ ଚାଷକୁ କିଏ ପୋତ୍ସାହିତ କରୁଥିଲା ? ବୋଲି ପ୍ରଶ୍ନ କରିଛନ୍ତି ସରୋଜ । ଗତ ୨୪ ବର୍ଷରେ ଯେତିକି ଗଞ୍ଜେଇ ଗଛ କଟା ହୋଇଥିଲା, ବିଜେପି ସରକାରରେ ମାସକରେ ତା’ଠାରୁ ଅଧିକ ଗଛ କାଟିଛୁ ବୋଲି କହି ସରକାରଙ୍କୁ ସୁରକ୍ଷା ଦେବାକୁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି ସ୍ଥାନୀୟ ବିଧାୟକ ।
ଗଞ୍ଜେଇ ଚାଷକୁ ନେଇ ବୌଦ୍ଧ ବଦନାମ ହେଉଥିବା ବେଳେ ଏହାକୁ ନଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଏବେସୁଦ୍ଧା ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୯୫୨ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସେହିଭଳି ଧରପଗଡ଼ ସମୟରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ପ୍ରଶାସନିକ ପୋତ୍ସାହନ ଓ ରାଜନୈତିକ ଛତ୍ରଛାୟା ତଳେ ଗଞ୍ଜେଇ ଚାଷ ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଶ୍ନ ଉଠୁଛି, ଏତେ ପରିମାଣର ଗଞ୍ଜେଇ ଚାଷ ହେଉଛି କେମିତି? ଗଞ୍ଜେଇ ଚାଷ ପଛରେ କାହାର ଆଶୀର୍ବାଦ ରହୁଛି । କାହିଁକି ଗଞ୍ଜେଇ ଚାଷ ପଛର କାର୍ପଟଦାରଙ୍କୁ ଧରୁନି ପୋଲିସ?