କନକ ବ୍ୟୁରୋ: ଏମରଜେନ୍ସି ସମୟରେ ବନ୍ଦି ଜୀବନ କାଟିଥିବା ବ୍ୟକ୍ତିଙ୍କୁ ଭତ୍ତା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଥିବା ବେଳେ କେବଳ କ୍ୟାବିନେଟ ଅନୁମୋଦନ ବାକି ରହିଛି । ହେଲେ ସରକାର ଏହି ପେନସନ ଦେଇ ଲୋକପ୍ରିୟତା ଗୋଟାଇବା ଆଗରୁ ବିରୋଧୀ ନୂଆ ଚାଲ ଚଳାଇ ନେବାକୁ ମନା କରି ଦେଇଛନ୍ତି।

Advertisment

ଏମରଜେନସି ସମୟରେ ଜେଲ କାଟିଥିବା ସାମାଜିକ କର୍ମୀ ପ୍ରଫୁଲ ସାମନ୍ତରାୟ ଏ ପେନସନକୁ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ମଧ୍ୟ ଏହି ପେନସନ୍ ନେବାକୁ ରୋକଠୋକ୍ ମନା କରି ଦେଇଛନ୍ତି। ହେଲେ, ଦଳ ପକ୍ଷରୁ କିଛି ସ୍ପଷ୍ଟ ହୋଇନଥିବାରୁ ବିଜେଡିର ବରିଷ୍ଠ ନେତା, ପେନସନ୍ ନେବେ କି ନନେବେ ସେ ନେଇ କୁନ୍ଥୁ କୁନ୍ଥୁ ହୋଇଛନ୍ତି।

  • ନଛୋଡ ବନ୍ଧା ସରକାର
  • ‘ଭତ୍ତା ନନେଲେ ସମ୍ମାନିତ କରିବେ’

ଜରୁରୀକାଳୀନ ବନ୍ଦୀଙ୍କୁ ଭତ୍ତା ମିଳିବା ପୂର୍ବରୁ ବିରୋଧୀ ରାଜନୈତିକ ଗୋଟି ଚଳାଇବା ପରେ ନଛୋଡବନ୍ଧା ହୋଇଛି ସରକାର। ଏସମ୍ପର୍କରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଏମରଜେନ୍ସି ବିରୋଧରେ ଯେଉଁମାନେ ଲଢେଇ କରିଛନ୍ତି ସମସ୍ତ ଜଣେ ଜଣେ ସଂଗ୍ରାମୀ। ଯେଉଁମାନେ ଭତ୍ତା ନେବେ ନାହିଁ, ସେମାନଙ୍କ ତାଲିକ ପ୍ରସ୍ତୁତ କରି ସମ୍ମାନିତ କରିବେ ରାଜ୍ୟ ସରକାର । ସରକାରଙ୍କ ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ରାଜନୀତି ସମୀକ୍ଷକ।

ସୂଚନାଯୋଗ୍ୟ ଯେ, ସ୍ବାଧିନତା ସଂଗ୍ରାମୀମାନଙ୍କୁ ଯେମିତି ସମ୍ମାନ ମିଳୁଛି ସେହିପରି ଭାବରେ ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପରେ ଓଡ଼ିଶାରେ ମଧ୍ୟ ଏମରଜେନ୍ସି ବନ୍ଦୀଙ୍କୁ ସମ୍ମାନିତ କରିବାକୁ ଯାଉଛନ୍ତି । ଯେଉଁଥିରେ ଜରୁରୀକାଳୀନ ବନ୍ଦୀଙ୍କୁ ୨୦ ହଜାର ଲେଖାଏଁ ଭତ୍ତା ଦେବେ ରାଜ୍ୟ ସରକାର ।