କନକ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। କ୍ଷେତରେ ଉଜୁଡି ଯାଇଛି ପାଚିଲା ଧାନ। ଆଉ ଏହାକୁ ଦେଖି ଚାଷୀ ଆଖିରୁ ଲୁହ ଶୁଖୁନି। ଯାହାକୁ ସହିନପାରି ଗଞ୍ଜାମ, ପୁରୀ , କେନ୍ଦ୍ରାପଡାରେ ଚାଷୀ ମୃତ୍ୟୁ ହୋଇଥିବା ଖବର ମଧ୍ୟ ଆସିଛି। ଏଭଳି ସ୍ଥିତିରେ ମୃତକଙ୍କ ଗାଁରେ ପହଞ୍ଚିଛନ୍ତି ନେତା। ଆଉ ଆରମ୍ଭ ହୋଇଯାଇଛି ଜୋରଦାର ରାଜନୀତି।

Advertisment
  • ମୃତକଙ୍କ ଗାଁରେ ନେତାଙ୍କ ଭିଡ
  • ରାଜନୀତିର ପଶାପାଲିରେ ଚାଷୀ 

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁର ଚାଷୀ ବନମାଳୀ ପେଣ୍ଠେଇ ଆତ୍ମହତ୍ୟା କରିବା ପରେ ଗାଁ ଏବେ ନେତାମୟ ହୋଇଯାଇଛି। ସମବେଦନା ଜଣାଇବା ଆଳରେ ପହଞ୍ଚିଛନ୍ତି ସବୁ ଦଳର ନେତା।  ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗାଁକୁ ଯାଇ ବନମାଳୀଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଭେଟିବା ପରେ ବନମାଳୀଙ୍କ ଯେତେ ଋଣ ରହିଛି ତାହାକୁ ପରିଶୋଧ କରିବାର ଦାୟିତ୍ଵ ସରକାର ନିଅନ୍ତୁ ବୋଲି ଦାବି କରିଛନ୍ତି ବିଜେଡ଼ି ଫେକ୍ଟ ଫାଇଣ୍ଡିଙ୍ଗ ଟିମ। 

ଅନ୍ୟପଟେ କଂଗ୍ରେସର ଏକ ପ୍ରତିନିଧି ଦଳ ବରଙ୍ଗ ଗାଁରେ ପହଞ୍ଚି ବନମାଳୀଙ୍କ ପରିବାରକୁ ଭେଟିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ତେବେ ଛତ୍ରପୁର ବିଧାୟକ କୃଷ୍ଣ ନାୟକ ମୃତକଙ୍କ ଗାଁକୁ ଯାଇ ଅଧର୍ଯ୍ୟ ନହେବାକୁ ବୁଝାଇଛନ୍ତି। ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି କହିଛନ୍ତି। 

ଏପଟେ ଅଦିନିଆ ବର୍ଷାରେ ଫସଲ ଉଡୁଜିବା ପରେ କ୍ଷତିପୂରଣ ଦାବିରେ ଆଗକୁ ଆସିଛି ବିଜେଡି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ। ଏଥିସହ ବୀମା ଆବେଦନ ସମୟ ସୀମା ୭୨ ଘଣ୍ଟାରୁ ଅଧିକ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ନ ଦେଲେ ବିଜେଡି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଅନ୍ୟପଟେ ସଠିକ୍ ସମୟରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। 

ଚାଷୀଙ୍କୁ ନେଇ ରାଜନୀତି ଭିତରେ କେନ୍ଦ୍ରାପଡା ଡେରାବିଶ୍ ସନ୍ଥପୁରା ଗାଁର ମୃତକଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅନୁଧ୍ୟାନ କରିବାକୁ ଯାଇଥିବା ସ୍ଥାନୀୟ ଆରଆଇ ହୃଦଘାତ ଜନିତ ମୃତ୍ୟୁ କହି ପ୍ରସଙ୍ଗକୁ ହାଲୁକା କରିଦେବାକୁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତା ପରେ ଅନ୍ୟ କୌଣସି ଅଧିକାରୀ ମଧ୍ୟ ପହଞ୍ଚି ନଥିବା ଜଣାପଡିଛି। ଯାହା କି ପ୍ରଶାସନିକ ଉଦାସୀନତାକୁ ପଦାରେ ପକାଇଛି। 

ସୂଚନାଯୋଗ୍ୟ ଯେ, ଏହା ନୂଆ ନୁହେଁ। ବର୍ଷ ବର୍ଷ ଧରି ରାଜନୀତିର ପଶାପାଲିରେ ଏମିତି ପେଷି ହେଉଛି ଚାଷୀ। କିନ୍ତୁ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, କାହାର ଆନ୍ତରିକତା ଅଛି, ତାହା କୋଟିଏ ଟଙ୍କାର ପ୍ରଶ୍ନ ।