କନକ ବ୍ୟୁରୋ: ୭ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ୭ ଦଫା ଦାବିକୁ ନେଇ ଡ୍ରାଇଭର ମହାସଂଘ ସହ ଆଲୋଚନା ସଫଳ ହୋଇସାରିଛି । ସମସ୍ତ ଦାବିର ସମାଧାନ କରାଯିବା ନେଇ ମଧ୍ୟ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇସାରିଛନ୍ତି । ପ୍ରତି ୧୦୦ କିଲୋମିଟର ଭିତରେ ଡ୍ରାଇଭର ମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରିବାକୁ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ । ଏଭଳି ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଡ୍ରାଇଭରଙ୍କୁ ନେଇ ଏବେ କଂଗ୍ରେସ ରାଜନୀତି କରୁଛି । କାରଣ ଆଲୋଚନା ସଫଳ ପରେ ମଧ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସେହିପରି ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ସମସ୍ୟା ଆଉ ନାହିଁ ବୋଲି ମଧ୍ୟ ଦମ୍ଭୋକ୍ତି ବାଢ଼ିଛନ୍ତି ପରିବହନ ମନ୍ତ୍ରୀ । ୪୦୦ରୁ ଊର୍ଦ୍ଧ୍ବ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି । ୩୫ରୁ ଊର୍ଦ୍ଧ୍ବ ଡ୍ରାଇଭର ସଂଘ ପରିବହନ ବିଭାଗ ସହ ରହିଛନ୍ତି । ଆନ୍ଦୋଳନକାରୀ ଡ୍ରାଇଭର ମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରାଇଭର ମାନେ ଆନ୍ଦୋଳନ ନାଁରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ମନ୍ତ୍ରୀ ।