କନକ ବ୍ୟୁରୋ : ଛାତ୍ରସଂସଦ ନିର୍ବାଚନ ଘୋଷଣା ହୋଇନି । ଏବେଠୁ ଅଶାନ୍ତ ହେଲାଣି କ୍ୟାମ୍ପସ । କିଛିଦିନ ତଳେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖା ଦେଇଥିଲା । ଗତକାଲି ରାତିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି କଲେଜ ପଲିଟିକ୍ସ । ଅଶାନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ଏ ହେଉଛି ବୁଧବାର ଆୟୋଜିତ ହୋଇଥିବା ସେହି ଦୁଲଦୁଲି କାର୍ଯ୍ୟକ୍ରମ । ଯେଉଁଠି ବିନା ଅନୁମତିରେ ଅତିଥି ହୋଇଥିଲେ କିଛି ନିର୍ଦ୍ଦିଷ୍ଟ ଦଳର ନେତା । ଆଉ ଏଇଠୁ ହୋଇଥିଲା ବିବାଦର ସୂତ୍ରପାତ । ଅଣଛାତ୍ରଙ୍କୁ ପ୍ରବେଶକୁ ବିରୋଧ ପରେ କାର୍ଯ୍ୟକ୍ରମ ତ ବନ୍ଦ ହୋଇଥିଲା ହେଲେ କ୍ୟାମ୍ପସ ବାହାରେ ଜଣେ ଛାତ୍ରଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହାକୁ ନେଇ ଗତକାଲି ରାତିରେ ଗୋପାଳପୁର ଥାନା ସାମ୍ନାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଛାତ୍ର ଗୋଷ୍ଠୀ ଧାରଣା ଦେବା ସହ ଆଜି ପୁଣିଥରେ କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଓ ନାରାବାଜି କରିଥିଲେ । କ୍ୟାମ୍ପସ ଅଶାନ୍ତ ହେଉଥିବାରୁ ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ କରିଥିଲେ । 

Advertisment

ସେପଟେ ଗତକାଲି ଗଣ୍ଡଗୋଳ ପରେ ଆଜି କଲେଜରେ ବସିଥିଲା ଶୃଙ୍ଖଳା କମିଟି ବୈଠକ ।  କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସବୁ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି କ୍ୟାମ୍ପସ ସୁରକ୍ଷା ନେଇ ଆଲୋଚନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକ ଥିବା ୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବା ସହ ୨୪ ଘଣ୍ଟାରେ ଉତ୍ତର ଦେବାକୁ କୁହାଯାଇଛି । ସେହିପରି କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ ଲାଗି ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି । ବିନା ଆଇଡି କାର୍ଡରେ କ୍ୟାମ୍ପସରେ ପ୍ରବେଶ ବାରଣ । ହଷ୍ଟେଲରେ ଅଣଛାତ୍ରଙ୍କୁ ଖୋଜିବ ସ୍ୱତନ୍ତ୍ର କମିଟି । ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ବବିଦ୍ୟାଳୟ ପାଚେରି ନିର୍ମାଣ । ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ବୈଠକରେ ନିଆଯାଇଛି । ଏହି ମାମଲାରେ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି । ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସ ଅଶାନ୍ତ ହେବା ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।