କନକ ବ୍ୟୁରୋ: ଶୋକରେ ବୁଡ଼ିଲା ବିଜୟ ଉତ୍ସବ। ଦଳାଚକଟାରେ ଚାଲିଗଲା ୧୧ ଜୀବନ । ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଆସିଥିଲେ ଆଉ ଶବ ହୋଇ ଫେରିଲେ ପ୍ରଶଂସକ । ଘଟଣାକୁ ନେଇ ଆକ୍ସନ ମୋଡରେ କର୍ଣ୍ଣାଟକ ହାଇକୋର୍ଟ । ଆଜି କୋର୍ଟରେ ଦୁଇ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ମୁଖ୍ୟ ବିଚାରପତି ବି. କାମେଶ୍ବର ରାଓ ଏବଂ ବିଚାରପତି ସି.ଏମ. ଯୋଶୀ ଏହି ମାମଲାର ଶୁଣାଣି କରିବେ ।
ଦଳାଚକଟା କାହିଁକି ହେଲା? ଏନେଇ କ’ଣ ପଦକ୍ଷେପ ନିଆଯାଇଛି ତାହାର ତଥ୍ୟ କୋର୍ଟକୁ ଦେବେ କର୍ଣ୍ଣାଟକ ସରକାର । ଘଟଣାକୁ ନେଇ କର୍ଣ୍ଣାଟକ ସରକାରକୁ ଘେରିଛି ବିଜେପି । ବିଜୟ ଉତ୍ସବକୁ ଅତି ଶୀଘ୍ର କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିସିସିଆଇ ଏବଂ ଆଇପିଏଲ ଅଧ୍ୟକ୍ଷକଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି । ବିନା ପ୍ରସ୍ତୁତିରେ ଏଭଳି ଉତ୍ସବ କରାଯାଇଥିବାରୁ ଏଭଳି ଦଳାଚକଟା ଘଟିଥିବା ଅଭିଯୋଗ ହୋଇଛି ।
ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କ ଜୀବନ ବଡ଼, ନା ବିଜୟ ଉତ୍ସବ ବଡ଼ ? ଭିଡ଼ ନିୟନ୍ତ୍ରଣ ପାଇଁ କାହିଁକି ହୋଇନଥିଲା ବ୍ୟବସ୍ଥା? ବିନା ପ୍ରସ୍ତୁତିରେ ବିଜୟ ଉତ୍ସବ ପାଇଁ କିଏ ଦେଇଥିଲା ଅନୁମତି ? ପୂର୍ବରୁ ପୁଷ୍ପା-୨ ଫିଲ୍ମ ସମୟରେ ମଧ୍ୟ ଏଭଳି ଦଳାଚକଟା ହୋଇଥିଲା । ସେତେବେଳେ ତାମିଲ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା । ଏବେ ସେହି ଘଟଣାର ପୁନରାବୃତ୍ତି ହୋଇଛି । ଏହି ଘଟଣାରେ କାହିଁକି କାହାକୁ ଗିରଫ କରାଯାଇ ନାହିଁ ? ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ଥିବା ବେଳେ ବଡ଼ବଡ଼ିଆଙ୍କ ପାଇଁ ଆଇନ ଅଲଗା କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।
ଦଳାଚକଟା ଘଟଣା ପାଇଁ କିଏ ଦାୟୀ? ଚିନ୍ନାସ୍ବାମୀ ଷ୍ଟାଡିୟମର କ୍ଷମତା ୩୫ ହଜାର ଥିବାବେଳେ ବାହାରେ ୩ ଲକ୍ଷ ଲୋକ ଜମା ହୋଇଥିଲେ । ସେଥିପାଇଁ ଏଭଳି ଦଳଚକଟା ହେଲା ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ଏଯାଏ କାହାରିକୁ ଗିରଫ କରାଯାଇନାହିଁ ।