କନକ ବ୍ୟୁରୋ: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ । ଠେଙ୍ଗାରେ ପିଟି ଗାଡି ଭାଙ୍ଗିବାକୁ ଚେଷ୍ଟା କଲେ ବିରୋଧୀ ଗୋଷ୍ଠୀ । ଆଜି ଯାଜପୁର ଧର୍ମଶାଳରେ ଚାଲିଥିବା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ନିଜର କିଛି ସମର୍ଥକଙ୍କ ସହ ପ୍ରଣବ ଏଠାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଛି ।
ଗାଁ ଭିତରକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡି ଧରି ପ୍ରଣବଙ୍କ ଗାଡିକୁ ଅଟକାଇଥିଲେ । ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ । ପ୍ରଣବଙ୍କ ସହ ଆସିଥିବା ସମର୍ଥକମାନେ ଯୁବକଙ୍କ ସହ ଯୁକ୍ତିତର୍କ କରିବାରୁ ପରିସ୍ଥିତି ଗୁରୁତର ହୋଇଥିଲା । ଏନେଇ ପ୍ରଣବଙ୍କୁ ଯୋଗଯୋଗ କରିଥିଲେ ବି ପ୍ରଥମେ ସେ କିଛି କହିବାକୁ ମନା କରିଥିଲେ ହେଲେ ସେଠିକାର ପଥର ଖଣି ମାଫିଆ ଚକ୍ରାନ୍ତ କରି ଏଭଳି ଘଟଣା ଘଟାଇଥାଇପାରନ୍ତି ବୋଲି ପରେ କହିଥିଲେ ପ୍ରଣବ ।