କନକ ବ୍ୟୁରୋ : ବନ୍ଧା ହେଲେ ଯାଜପୁର ଜିଲ୍ଲାର ଟାଣୁଆ ନେତା ବବି ଦାସଙ୍କ ଭାଇ ଭବପ୍ରସାଦ ଦାସ । ବିଧାୟକଙ୍କୁ ଆକ୍ରମଣ ଘଟଣା, ହାଟ ବିବାଦକୁ ନେଇ ରାସ୍ତାରୋକ ଓ ଯାଜପୁର ଟାଉନ ଥାନା ଘେରାଉ ପ୍ରସଙ୍ଗରେ ଭବପ୍ରସାଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । କୋର୍ଟରେ ଜାମିନ୍ ନାମଞ୍ଜୁର ପରେ ଯାଜପୁର ଉପକାରାଗାର ଯାଇଛନ୍ତି ଭବପ୍ରସାଦ । ଏପଟେ ବବି ଦାସ ଭାଇଙ୍କ ଗିରଫଦାରୀକୁ ନେଇ ରାଜଧାନୀରେ ଜୋର ଧରିଛି ରାଜନୈତିକ ବୟାନବାଜି ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ବିରଜା ହାଟ ବିବାଦକୁ ନେଇ ରାସ୍ତାରୋକ ଓ ହାଟରେ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ଭବ ପ୍ରସାଦ ଦାସ । ଆଜି କଡ଼ା ସୁରକ୍ଷା ମଧ୍ୟରେ ଭବପ୍ରସାଦଙ୍କୁ ଯାଜପୁର ଜିଲ୍ଲା ଦୌରାଜଜ୍ଙ୍କ ପାଖରେ ହାଜର କରାଯାଇଥିଲା । ତେବେ କୋର୍ଟରେ ଜାମିନ୍ ନାମଞ୍ଜୁର ପରେ ଯାଜପୁର ଉପକାରାଗାରକୁ ପଠାଯାଇଛି ।
ଗିରଫ ହେଲେ ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭାଇ ଭବପ୍ରସାଦ । ଏପଟେ ରାଜଧାନୀରେ ଜୋର ଧରିଛି ରାଜନୈତିକ ବୟାନବାଜି । ବିଧାୟକ ହିମାଂଶୁଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ହିମାଂଶୁ ନିଜର ଆତ୍ମପ୍ରଚାର ପାଇଁ ଏପରି କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା । ଜବାବରେ ହିମାଂଶୁ କହିଛନ୍ତି, ଜଣେ ବିଧାୟକଙ୍କୁ ମାଡ଼ ଘଟଣାରେ ସମ୍ବେଦନଶୀଳ ନହୋଇ ନିନ୍ଦା କରିବା ଦୁର୍ଭାଗ୍ୟଜନକ ।
ସେପଟେ ଭବପ୍ରସାଦ ଓରଫ ଲଲଙ୍କ ଗିରଫଦାରୀକୁ ବିରୋଧ କରି, ଯାଜପୁରରେ ବିଜେଡି ପ୍ରେସମିଟ୍ କରିଛି । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ପ୍ରସଙ୍ଗକୁ ଏଡାଇ ଦେଇ ବିରଜା ପ୍ରକଳ୍ପ ହାଟ ବିବାଦକୁ ସାମ୍ନାକୁ ଆଣିଛି । ପରେ ପରେ ବିଜେପି ପ୍ରେସମିଟ୍ କରି କହିଛି, ଆଇନକୁ ହାତକୁ ନେଇ ଅରାଜକତା କରୁଛନ୍ତି । ବିରଜା ହାଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରୁଛନ୍ତି ।
ନଭେମ୍ବର ୨୦ ତାରିଖରେ ବିରଜା ହାଟ ପ୍ରକଳ୍ପକୁ ବିରୋଧ କରି ବିଜେଡି କର୍ମୀ ଯାଜପୁର ବୁଢାଘାଟରେ ରାସ୍ତାରୋକ କରିଥିଲା । ସେହି ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଯାଉଥିବା ବେଳେ ତାଙ୍କୁ ଓ ତାଙ୍କ ଗାଡିକୁ ଆକ୍ରମଣ ହୋଇଥିଲା । ବବି ଦାସଙ୍କ ଲୋକ ତାଙ୍କୁ ଆକ୍ରମଣ କରିଥିବା ସ୍ପଷ୍ଟ ଅଭିଯୋଗ କରିଥିଲେ ହିମାଂଶୁ ।