କନକ ବ୍ୟୁରୋ : କେଉଁ ଦଳରେ କେତେ ବିଧାୟକ ଓ ସାଂସଦ କାହା ଯୋଗାଯୋଗରେ ଅଛନ୍ତି । ଏହାକୁ ନେଇ ଉଭୟ ଦଳଙ୍କ ମଧ୍ୟରେ ଗଣମାଧ୍ୟମରେ ବଳ କଷାକଷି ଚାଲିଥିବାବେଳେ, ଅମର ପଟ୍ଟନାୟକଙ୍କ ବୟାନ ଏବେ ରାଜ୍ୟ ରାଜନୀତିକୁ ହଲଚଲ କରିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଜାଣତରେ ରାଜ୍ୟ ବିଜେପିର କୋଡ଼ିଏ ବିଧାୟକ ବିଜେଡିରେ ମିଶିବେ । ସେପଟେ ବିଜେପି କହିଛି ଏହା ଦିବାସ୍ୱପ୍ନ ନୁହେଁ ଚେଇଁବା ସ୍ୱପ୍ନ ।
କେଉଁ ଦଳର ନେତା କାହା ଯୋଗାଯୋଗରେ ଅଛନ୍ତି, ଏହାକୁ ନେଇ କିଛି ଦିନ ହେଲା ବିଜେଡି ଏବଂ ବିଜେପି ନେତାଙ୍କ ବୟାନବାଜି ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେଡିର ଅନେକ ବିଧାୟକ ବିଜେପିକୁ ଆସିବେ ଏବଂ ୨୯ ନିର୍ବାଚନ ପୂର୍ବରୁ ବିଜେଡି ନଥିବା କଥା କହି ବିଜେପି ନେତା ନିଆଁରେ ଘିଅ ଢ଼ାଳୁଛନ୍ତି ।
ଏତିକିବେଳେ ଏହି ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ । କହିଛନ୍ତି, ବିଜେପିର ୨୦ ବିଧାୟକ ବିଜେଡି ସହ ଯୋଗାଯୋଗରେ ଅଛନ୍ତି । ଏକଥା ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଜାଣିଛନ୍ତି । ବିଧାୟକମାନେ ଆସିଲେ ସରକାର ଭାଙ୍ଗିବ । ବିଜେପିର ଅସ୍ତିତ୍ୱ ଆଉ କିଛି ଦିନ ବୋଲି କହିଛନ୍ତି ।
ସେପଟେ ଅମରଙ୍କ ବୟାନ ପରେ ତାତ୍ସଲ୍ୟ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଜାଣିବା ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି କିଏ କାହା ଘର ଭାଙ୍ଗେ କି ? ଏସବୁ ଦିବାସ୍ୱପ୍ନ ନୁହେଁ ଚେଇଁବା ସ୍ୱପ୍ନ । ସେ ଜଣେ ଅଫିସର କିନ୍ତୁ ତାଙ୍କ ମାନସାଙ୍କ ଜ୍ଞାନ ଠିକ୍ ନାହିଁ କହି, କଟାକ୍ଷ କରିଛନ୍ତି ଜୟନାରାୟଣ ।
ରାଜ୍ୟରେ ପ୍ରଥମଥର ବିଜେପି ସରକାର ଆସିବା ପରେ ବିଜେଡି ଛାଡି ବିଜେପିକୁ ମୁହାଁଉଛନ୍ତି ନେତା । ମମତା ମହନ୍ତ, ସୁଜିତ କୁମାରଙ୍କ ଭଳି ନେତାଙ୍କ ଲମ୍ବା ତାଲିକା ଦେଖିବାକୁ ମିଳୁଛି । ତେବେ ନେତାଙ୍କ ଦମ୍ଭୋକ୍ତିର ଦମ କେତେ, ତାହା ଅଗାମୀ ଦିନରେ ଜଣାପଡ଼ିବ ।