କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପାଚେରିରେ ଫାଟ ଖବର ପ୍ରସାରଣ ପରେ ତତ୍ପର ହୋଇଛି ପ୍ରଶାସନ । ପାଚେରିରୁ ଶିଉଳି ଛଡାଇବା ସହ ମରାମତି କାମକୁ ଜୋରଦାର କରିଛି । ଝରୁଥିବା ପାଣିକୁ କେମିତି ବନ୍ଦ କରାଯିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏସବୁ ଭିତରେ ଏହି ପ୍ରସଙ୍ଗରେ ତେଜିଛି ରାଜନୀତି । ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛି ବିଜେପି ।
ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଗଣମାଧ୍ୟମ ସାମ୍ନାରେ ଏଥିପାଇଁ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି । ପରିକ୍ରମା ପ୍ରକଳ୍ପ ସମୟରେ ଯେଭଳି ବଡ଼ ବଡ଼ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ଼ ବଡ଼ ଗାତ କରାଗଲା, ଏହା ମେଘନାଦ ପାଚେରି ଉପରେ ପ୍ରଭାବ ପକାଇଲା ଓ ଫାଟ ସୃଷ୍ଟି ହେଲା ବୋଲି କହିଛନ୍ତି । ବିଜେପିର ଅଭିଯୋଗ ପରେ ଜବାବ ରଖିଛି ବିଜେଡି । ବିଜେପି ନେତା କଣ ବୈଷୟିକ ବିଶେଷଜ୍ଞ କି ବୋଲି ପଚାରିବା ସହ ଭାବିଚିନ୍ତି କହିବାକୁ ପରାମର୍ଶ ଦେଇଛନ୍ତି ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମେଘନାଦ ପାଚେରୀରେ ଥିବା ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଏଭିକ୍ସନ ସମୟରେ ଏହି ଫାଟ ହୋଇଛି । ଏନେଇ ଏଏସଆଇକୁ ଚିଠି ଲେଖା ହୋଇଥିଲା । ତେବେ ନିର୍ଦ୍ଧିଷ୍ଟ ସମୟରେ ଫାଟର ସ୍ଥାୟୀ ମରାମତି ପାଇଁ ବ୍ୟବସ୍ଥା କରାଯାଉଛି ।
ସିଂହଦ୍ୱାର ସମ୍ମୁଖ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କେବଳ ସେତିକି ନୁହଁ ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଛି । ଯାହା ମେଘନାଦ ପାଚେରି ସହ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।