କନକ ବ୍ୟୁରୋ: ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିକୁ ନିନ୍ଦା କରିବା ଘଟଣାକୁ ନେଇ ଖୋର୍ଦ୍ଧାରେ ଝଡ଼ । ଖୋର୍ଦ୍ଧା ସ୍ୱାଭିମାନ ମଞ୍ଚ ପକ୍ଷରୁ ପୂର୍ବତନ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଛି । ଶଙ୍ଖ ଭବନରେ ଦଳର ପରାଜୟକୁ ନେଇ ଚାଲିଥିବା ବୈଠକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଦେଇଥିବା ମନ୍ତବ୍ୟ ଭାଇରାଲ ହେଉଛି । ପରାଜୟ ସମୀକ୍ଷା ବୈଠକରେ ଖୋର୍ଦ୍ଧା ମାଟିକୁ ନିନ୍ଦା ସହ ରାଜେନ୍ଦ୍ର ଖୋର୍ଦ୍ଧା ଲୋକ ପଛରୁ ଛୁରୀ ଭୁଷନ୍ତି ବୋଲି ଆକ୍ଷେପ କରିଥିଲେ । ବୈଠକର ସେହି ଅଡିଓ ଏଵେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସବୁଆଡେ ଏବେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ସ୍ୱାଭିମାନ ମଞ୍ଚ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରି ବ୍ୟାଙ୍କ ଛକ ଠାରେ ରାଜେନ୍ଦ୍ର ସାହୁଙ୍କ କୁଶପୁତଳିକା ଦାହ କରାଯାଇଛି । ସେହି ଭଳି ଭାବରେ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ବି କରାଯାଇଛି । ଶଙ୍ଖ ଭବନରେ ଦଳର ପରାଜୟକୁ ନେଇ ହୋଇଥିବା ବୈଠକରେ ରାଜେନ୍ଦ୍ର ସାହୁ ଦେଇଥିବା ମନ୍ତବ୍ୟ ଭାଇରାଲ ହେଉଛି । ଏହି ଅଡିଓରେ ବିଜୁ ଜନତା ଦଳ ସମ୍ପର୍କରେ ମଧ୍ୟ ବିଷୋଦଗାର କରିଛନ୍ତି ରାଜେନ୍ଦ୍ର । ଏପରିକି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ସେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ନବୀନଙ୍କୁ ଜଣାଇ ଦିଅନ୍ତୁ ବୋଲି ଚଢା ଗଳାରେ କହୁଥିବା ଅଡିଓରେ ଶୁଣିବାକୁ ମିଳୁଛି । ଖୋର୍ଦ୍ଧା ମାଟିକୁ ନେଇ ଅପମାନସୂଚନା ମନ୍ତବ୍ୟ ଦେବା ଘଟଣାକୁ ନେଇ ଏଵେ ରାଜନୀତି ଜୋର ଧରିଛି । କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରିଥିବା ବେଳେ ବିଜେପି ରାଜରାସ୍ତାକୁ ଓଲ୍ହାଇବାକୁ ଧମକ ଦେଇଛି । ସେପଟେ ରାଜେନ୍ଦ୍ର ମଧ୍ୟ ପୁରା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି। ରାଜେନ୍ଦ୍ର କହିଛନ୍ତି ନିର୍ବାଚନ ହାରିବା ପରେ ମନରେ ଅନେକ କ୍ଷୋଭ ଥିଲା । ଶଙ୍ଖ ଭବନରେ ଦଳୀୟ ନେତୃତ୍ୱଙ୍କ ଆଗରେ ଅସନ୍ତୋଷ ଜାହିର କଲାବେଳେ ସେ ଏଭଳି କହିଥିବା ସ୍ୱୀକାର କରିଛନ୍ତି ।