କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ରାମଗୋପାଳ ଯାଦବଙ୍କ ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା  । ସେନାଧିକାରୀ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ନାଁ ସଠିକ ଭାବେ କହିପାରୁନାହାଁନ୍ତି କିନ୍ତୁ ଜାତି ବାବଦରେ ପୂରା ଖବର ରଖିଛନ୍ତି । ସର୍ବସମ୍ମୁଖରେ ସେନାଧିକାରୀଙ୍କ ଜାତି,ଧର୍ମ ନେଇ ବିବାଦୀୟ ଟିପ୍ପଣୀ ଦେବାକୁ ମଧ୍ୟ ପଛାଇନାହାଁନ୍ତି ।

Advertisment

ଭାରତୀୟ ସେନାର ବୀର ଯବାନ ଯେଉଁଠି ଦିନ ରାତି ଶତ୍ରୁଙ୍କଠୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରୁଛନ୍ତି । ଦେଶ ପାଇଁ ଯେଉଁମାନେ ଗର୍ବ ଓ ଗୌରବ । ସେମାନଙ୍କୁ ସମ୍ମାନ ଦେବା ବଦଳରେ ନେତା ମନ୍ତ୍ରୀ ସାଂସଦ ବିବାଦୀୟ ଟିପ୍ପଣୀ ଦେବାକୁ ପଛାଉନାହାଁନ୍ତି। ପ୍ରଥମେ ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହ, କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ ଦେଇଥିଲେ । ବିବାଦ ଥମିନଥିବାବେଳେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ଓ  ଏୟାର ମାର୍ଶଲ ଏକେ ଭାରତୀୟଙ୍କ ନାଁରେ ସପା ନେତା ତଥା ରାଜ୍ୟସଭା ସାଂସଦ ରାମଗୋପାଳ ଯାଦବଙ୍କ ବୟାନ ପୁଣି ନୂଆ ବିବାଦ ସୃଷ୍ଟି କରିଛି ।

ରାମଗୋପାଳ ଯାଦବଙ୍କ ବୟାନରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ପୋଷ୍ଟ କରି ରାମଗୋପାଳଙ୍କୁ ଭର୍ତ୍ସନା କର ଯୋଗୀ କହିଛନ୍ତି, ସେନାକୁ ଜାତିବାଦ ଚଷମାରେ ଦେଖାଯାଏନି । ଭାରତୀୟ ସେନାର ପ୍ରତ୍ୟେକ ସୈନିକ ରାଷ୍ଟ୍ରଧର୍ମ ପାଳନ କରନ୍ତି । ଜାତି ଓ ଧର୍ମର ପ୍ରତିନିଧି ନୁହେଁ ସେନା । ସପା ନେତାଙ୍କ ଏଭଳି ବୟାନ ତାଙ୍କ ଓ ତାଙ୍କ ଦଳ ସଙ୍କୁଚିତ ମାନସିକତାକୁ ଦର୍ଶାଉଛି ।

କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ନେତୃତ୍ବରେ ସଫଳ ହୋଇଛି ଅପରେସନ ସିନ୍ଦୂର । ପାକିସ୍ତାନ ଘରେ ପଶି କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏମାନଙ୍କୁ ନେଇ ଯେଉଁଠି ପୂରା ଦେଶ ଗର୍ବ ଅନୁଭବ କରୁଛି ସେଠି ନେତା, ମନ୍ତ୍ରୀ, ସାଂସଦଙ୍କ ଏଭଳି ବୟାନ କେତେଦୂର ଗ୍ରହଣୀୟ ସେନେଇ ତର୍କ ଆରମ୍ଭ ହୋଇଛି । ଅନ୍ୟପଟେ ବୀର ସେନାଧିକାରୀଙ୍କୁ ଅପମାନିତ କରିବା ଘଟଣାରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବା ଉଚିତ ସେନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି ।