କନକ ବ୍ୟୁରୋ : ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ଅବସର ନେଲେ ସେକଥା କେହି ସ୍ପଷ୍ଟ କରିପାରୁନଥିବା ବେଳେ ସୁଜାତା ବି ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । କିନ୍ତୁ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି କି, ସେ କାହିଁକି ଇସ୍ତଫା ଦେଲେ ସେ ହିଁ ଜାଣିଥିବେ । ହେଲେ ସ୍ୱେଚ୍ଛାକୃତ ଅବସର ନେଇ ତାଙ୍କ ମନ ଭିତରେ ଯେଉଁ କଷ୍ଟ ହୋଇଥିବ ତାହା କାହାକୁ ଅଛପା ନାହିଁ । କିଛି ତ୍ରୁଟି ବିଚ୍ୟୁତି ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀ ସିଧାସଳଖ ସୁଜାତାଙ୍କୁ ଦାୟୀ କରିଥିଲେ । ସୁଜାତା ଗୃହର ସଦସ୍ୟ ହୋଇ ନଥିବାରୁ ସେ ଏହା ଉପରେ ନିଜର ବୟାନ ରଖିପାରିନଥିଲେ । ଏହି କାରଣରୁ ସେ ଅବସର ନେଇଥାଇପାରନ୍ତି ବୋଲି ଅନୁମାନ କରିଛନ୍ତି ରାଜା ସ୍ୱାଇଁ । ଏହାସହ ଅବସର ପରେ ସେ ଏନେଇ ପ୍ରତିକ୍ରୟା ରଖିପାରନ୍ତି । 

Advertisment

ସେପଟେ ରାଜା ସ୍ୱାଇଁଙ୍କ ବୟାନ ଉପରେ ଜବାବ ରଖିଛନ୍ତି ବିଜେପି ବିଧାୟକ ବିଭୂତି ପ୍ରଧାନ । ସେ କହିଛନ୍ତି କି, ସୁଜାତା କାର୍ତ୍ତିକେୟନ ଭିଆରଏସ୍ ନେଇଛନ୍ତି, ଏହା ପୂର୍ବରୁ ଭି.କେ ପାଣ୍ଡିଆନ ବି ଭିଆରଏସ୍ ନେଇସାରିଛନ୍ତି । ଏ ଦୁଇଟି ଯାକର ସତ୍ୟତା କେତେ ତାହା ଅନୁମାନ କରି ହେଉଛି । ଯେଉଁମାନେ ସନ୍ୟାସୀ ହୋଇଯାଆନ୍ତି ସେମାନଙ୍କର ମଠ ମନ୍ଦିର ଯିବାର ଆବଶ୍ୟକତା ରହିଛି । କିନ୍ତୁ ଭି,କେ ପାଣ୍ଡିଆନ ଯେଉଁଦିନ ଠାରୁ ସନ୍ୟାସ ନେଲେ ସେବେଠାରୁ ସେ ଠାକୁର ଦର୍ଶନ ଛାଡି ଦେଇଛନ୍ତି । ବିଜେଡି ସରକାରରେ ଥିବା ବେଳେ ପାଣ୍ଡିଆନ ପାହାନ୍ତାରୁ ଜଗନ୍ନାଥଙ୍କୁ ସୁଆଇ ଦେଉନଥିଲେ । ସେ ଯାହା କୁହନ୍ତି ତା'ର ଓଲଟା କରନ୍ତି । ସେ କୁହନ୍ତି ଶାସନରେ ତାଙ୍କର କୌଣସି ଭୂମିକା ନାହିଁ, ହେଲେ ରାଜ୍ୟକୁ ୨୫ ବର୍ଷ ଧରି ଶାସନ କରିଥିବା ନବୀନ ବାବୁଙ୍କୁ ପାଣ୍ଡିଆନ ହିଁ ଶାସନ କରୁଥିଲେ । 

କେବଳ ଭି.କେ ପାଣ୍ଡିଆନ ନୁହଁନ୍ତି ବିଭୂତି ପ୍ରଧାନ ସୁଜାତା କାର୍ତ୍ତିକେୟନଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ସୁଜାତା ଗତ ସରକାରରେ ଫିଟ୍ ଥିଲେ । ଆମ ସରକାରରେ ସେ କାହିଁକି ଫିଟ୍ ହୋଇପାରୁନାହାଁନ୍ତି ତାଙ୍କୁ ପଚାରିବାକୁ ପଡିବ । ତାଙ୍କ ଅମଳରେ କଥା କହିପାରୁନଥିବା ମୁଖ୍ୟମନ୍ତ୍ରୀ ଥିବାରୁ ସେ ଫିଟ୍ ରହୁଥିଲେ । ଏ ସରକାରରେ ମୁଖ୍ୟମନ୍ତ୍ରୀ ଆକ୍ଟିଭ୍ ଥିବାରୁ ସେମାନେ ଫିଟ୍ ହୋଇପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ଆକ୍ଟିଭ୍ ଥିବାରୁ ସେମାନେ ଠକିକି ଆଉ ମାଲିକାନା ଦେଖାଇପାରିବେନି । ସେହିଭଳି ଅଫିସରଙ୍କୁ ଏବେ କଷ୍ଟ ହେଉଛି । ତେଣୁ ସେମାନେ ନିଜ ପଦବୀ ଛାଡି ପଳାଉଛନ୍ତି । ରାଜନୀତି କରିବାକୁ କାହାକୁ ମନା ନାହିଁ । ଯେଉଁ ଅଫିସରମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି କରିପାରିବେ ।