କନକ ବ୍ୟୁରୋ: ଘୋଷଣା ହୋଇନି ତାରିଖ, ହେଲେ ଆରମ୍ଭ ହୋଇଗଲାଣି ଅଙ୍କକଷା । କିଏ କାହାକୁ ପ୍ରାର୍ଥୀ କରିବ, ବିଜେଡି ସୁପ୍ରିମୋ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି, ହେଲେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ କହିଲେଣି ମୁଁ ହେବି ଦଳୀୟ କ୍ୟାଣ୍ଡିଡେଟ୍ ।  
   
ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିନି ହେଲେ ପ୍ରାର୍ଥୀ କିଏ ହେବେ ସେନେଇ ଆରମ୍ଭ ହୋଇଗଲାଣି କସରତ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଭିତିରିଆ ଅଙ୍କକଷା ଚାଲିଲାଣି । ଏସବୁ ଭିତରେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବାନେଇ କନକ ନ୍ୟୁଜକୁ ଏକ୍ସକ୍ଲ୍ୟୁସିଭ୍ ପ୍ରତିକ୍ରିୟା ଦେଇ କହିଛନ୍ତି । ଏନେଇ ବିଜେଡି ସୁପ୍ରିମୋ ତାଙ୍କୁ ସବୁଜ ସଂକେତ ଦେଇଛନ୍ତି । ତେଣୁ ତାଙ୍କ ଟିମକୁ ଧରି ସେ ବୁଲିବା ଆରମ୍ଭ କଲେଣି । 

Advertisment

ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଆପାତତଃ ଚୂଡ଼ାନ୍ତ ହୋଇଛି । ସେପଟେ ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇପାରେ । ଏନେଇ ପିସିସି ସଭାପତି ପରୋକ୍ଷରେ କହିସାରିଛନ୍ତି । କିନ୍ତୁ ବିଜେପି କାହା ହାତରେ କମାଣ ଧରାଇବ ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଲାଗି ରହିଛି । କାରଣ ବିଜେପି ବର୍ତ୍ତମାନ ଶାସକ ଦଳରେ ଥିବାରୁ ଏହି ନିର୍ବାଚନ ତା ପାଇଁ ଅଗ୍ନିପରୀକ୍ଷା ।
 
ଚର୍ଚ୍ଚା ହେଉଛି ବିହାର ନିର୍ବାଚନ ସହିତ ଏକା ସମୟରେ ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ । ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକ୍ରିୟା ଆରମ୍ଭ କଲେଣି । ତେଣୁ ତିନି ରାଜନୈତିକ ଦଳର ଫୋକସରେ ନୂଆପଡା ।