କନକ ବ୍ୟୁରୋ : ଶିବ ବିବାହରେ ଲିଙ୍ଗରାଜଙ୍କ ମନ୍ଦିର ନୀତିରେ ବିଭ୍ରାଟ । କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସଂପୂର୍ଣ୍ଣ ହୋଇନଥିବା ବେଳେ ଲିଙ୍ଗରାଜ ମନ୍ଦିରରେ ଦ୍ୱାର ଖୋଲିଲେ ବଡୁ ନିଯୋଗରେ ପାଳିରେ ଥିବା ସେବାୟତ । ମଙ୍ଗଳ ଆଳତି ପୂର୍ବରୁ ସେବାୟତ ଜଣକ ମନ୍ଦିର ଦ୍ୱାର ଖୋଲି ଭକ୍ତଙ୍କୁ ସାହାଣ ମେଲା ଦର୍ଶନ କରାଇଥିଲେ । ଏହାକୁ ନେଇ ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । ପୂଜାପଣ୍ଡା ନିଯୋଗ ମଙ୍ଗଳ ଆଳତୀ କରିବା ପରେ ଦ୍ୱାର ଖୋଲି ଅନ୍ୟ ନୀତିକାନ୍ତି ହେବ କଥା । ଏହା ପୂର୍ବରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇ ଥିବାରୁ ପୂଜାପଣ୍ଡା ପକ୍ଷରୁ ମଙ୍ଗଳ ଆଳତି ବନ୍ଦ କରାଯାଇଥିଲା । ଏବେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି ।
ମହାସ୍ନାନ ପରେ ପୁଣି ଥରେ ନୀତି କାନ୍ତି ଆରମ୍ଭ ହେବ । ବଡୁ ନିଯୋଗ ସେବାୟତଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ । ମନ୍ଦିର ପ୍ରଶାସନ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ କରିଛନ୍ତି । ତାହେଲେ ବଡୁ ନିଯୋଗ କାହିଁକି ନିୟମ ଭଙ୍ଗ କଲା ବୋଲି ଅଭିଯୋଗ କରିଛି ପୂଜାପଣ୍ଡା ନିଯୋଗ । ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି କାନ୍ତି ଅନୁସାରେ କେଦାର ଗୌରୀ ମନ୍ଦିରରେ ନୀତିକାନ୍ତି ହୁଏ । ଏବେ ନବ ଦମ୍ପତିଙ୍କ ଯେଉଁ ରୀତିନୀତି ଥାଏ ତାହା ମଧ୍ୟ ବନ୍ଦ ହୋଇଛି ।