କନକବ୍ୟୁରୋ: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ।  ବାଳଧୂପ ନୀତି ନିର୍ଘଣ୍ଟକୁ  ଛତିଶାନିଯୋଗ ବୈଠକରେ ଅନୁମୋଦନ ମିଳିଛି ।  ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ଗୁରୁତ୍ବ। ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟକୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଅନୁମୋଦିତ ନୀତିନିର୍ଘଣ୍ଟ ଅନୁସାରେ, ଭୋର ୪ଟା ବେଳରୁ ଦ୍ବାର ଫିଟା ପାଇଁ ସ୍ଥିର ହୋଇଛି । ସେହିପରି କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ତଥା ଶୃଙ୍ଖଳିତ ଦର୍ଶନ ସକାଶେ ପଦକ୍ଷେପ ଗ୍ରହଣ ପାଇଁ ଖୁବଶୀଘ୍ର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସ୍ତରରେ ବୈଠକ କରି ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

Advertisment

ଆଜିର ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ବୈଠକରେ ଓବିସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର୍ଶନ ଯୋଜନା ସମ୍ପର୍କିତ ଏକ ଉପସ୍ଥାପନା କରାଯାଇଥିଲା । ଏଥିରେ ଦର୍ଶନାର୍ଥୀଙ୍କ ପାଇଁ ନାଟମଣ୍ଡପରେ ସ୍ବତନ୍ତ୍ର ଧାଡି କରାଯିବା ସହ ସୁଉଚ୍ଚ ରାମ୍ପର ପ୍ରସ୍ତାବ ରହିଛି । ଦର୍ଶନ ବ୍ୟବସ୍ଥା ଦ୍ବାରା ମହାପ୍ରଭୁଙ୍କ ସେବାପୂଜା ଯେପରି କୌଣସି ଭାବେ ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

ଏହାଦ୍ବାରା ଯଦି କୌଣସି ସେବକ ପ୍ରଭାବିତ ହେବେ, ସେଥିପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଆଲୋଚନା ହୋଇଥିଲା ।  ଶ୍ରୀମନ୍ଦିର ନାଟମଣ୍ଡପର ସୁରକ୍ଷା ପ୍ରତି ଧ୍ୟାନ ଦେଇ ଏ.ଏସ୍.ଆଇ. ର ପରାମର୍ଶ ନେଇ ସମସ୍ତ କାର୍ଯ୍ୟ  କରିବାକୁ ଓବିସିସିକୁ କୁହାଯାଇଛି ।  ବୈଠକରେ ଉପସ୍ଥିତି ତଥା ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ସମସ୍ତ ନିଯୋଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ । ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଏ.ଏସ.ଆଇ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।