କନକ ବ୍ୟୁରୋ: ଦଶହରା ପୂର୍ବରୁ ବାଣ ଦୋକାନରେ ପୁଲିସର ଚଢ଼ାଉ । ପାର୍ବଣକୁ ନଜରରେ ରଖି ପୁଲିସର ଅପରେସନ୍‌ ‘ଅଗ୍ନି’ । ବେଆଇନ୍‌ ବାଣ କାରବାର ଉପରେ ନଜର ରହିଛି। ଏହାସହ ଅଘଟଣ ଏଡ଼ାଇବାକୁ ଆଗୁଆ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୮ କୋଟି ଟଙ୍କାର ବାଣ ଜବତ କରାଯାଇଛି । 

Advertisment

ଦଶହରା ପୂର୍ବରୁ ବେଆଇନ ବାଣ ଦୋକାନରେ ପୁଲିସର ଚଢ଼ାଉ। ରାଜ୍ୟରୁ ବିଭିନ୍ନ ସ୍ଥାନରୁ ପ୍ରାୟ ୮ କୋଟି ଟଙ୍କାର ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ । ବୌଦ୍ଧ ପୁରୁଣାକଟକ ଅଞ୍ଚଳରେ ପୁଲିସ ୪ ଟି ସ୍ଥାନରେ ଚଢ଼ାଉ କରି ୬ କୋଟିରୁ ଅଧିକ ଟଙ୍କାର ବାଣ ଜବତ କରିଛି । ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟି ସହ ଘର ଭଡ଼ା ଦେଇଥିବା ଚାରି ମାଲିକଙ୍କୁ ଗିରଫ କରିଛି ପୁଲିସ ।  ପୁରୁଣାକଟକ ଭଳି ଅଞ୍ଚଳରେ ଏତେ ଟଙ୍କାର ବାଣ ଜବତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।  

ସେପଟେ ବେଆଇନ ବାଣ ଦୋକାନରେ ଚଢାଉ ପାଇଁ ଅନୁଗୁଳ ପୁଲିସର ଅପରେସନ ‘ଅଗ୍ନି’କୁ ସଫଳତା ମିଳିଛି । ଅନୁଗୁଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଢ କୋଟି ଟଙ୍କାର ବାଣ ଜବତ କରିଛି ପୁଲିସ । ଏଥିସହ କାରବାରରେ ସମ୍ପୃକ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି । ସେହିପରି କଟକ ଭାଣପୁର ଅଞ୍ଚଳରେ ବେଆଇନ ବାଣ ଦୋକାନରେ ଚଢାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଓ ବିସ୍ଫୋରକ ଜବତ କରିଛି ସଦର ପୁଲିସ । ଏଭଳି ବେଆଇନ ବାଣ ଜବତ ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । 

ଗତ ୨୧ ତାରିଖରେ ବୌଦ୍ଧ ପୁରୁଣାକଟକ ଥାନା ଅଞ୍ଚଳର ଜିଆକଟା ଗ୍ରାମରେ ଭୟାନକ ବାଣ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୁଲିସ ଚଢାଉକୁ ଜୋରଦାର କରିଛି । ପୂଜାରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଆଗୁଆ ସତର୍କ ହୋଇଛି ପୁଲିସ । ପ୍ରଶ୍ନ ଉଠୁଛି, ଏତେ ପରିମାଣର ବେଆଇନ ବାଣ ଆସୁଛି କେଉଁଠୁ ଓ ପ୍ରଶାସନର ନଜର ରହୁନି କାହିଁକି ?